ଓଡିଶା

odisha

ETV Bharat / state

କ୍ଷତିପୂରକ ବନୀକରଣ ପାଇଁ ପ୍ରସ୍ତୁତ ହେବ ଲ୍ୟାଣ୍ଡ ବ୍ୟାଙ୍କ

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କ୍ଷତିପୂରଣ ବନୀକରଣ ପାଇଁ ସୃଷ୍ଟି ହେବ ଲ୍ୟାଣ୍ଡ ବ୍ୟାଙ୍କ । ଅଧିକ ପଢନ୍ତୁ

By

Published : May 17, 2023, 7:52 AM IST

କ୍ଷତିପୂରକ ବନୀକରଣ ପାଇଁ ପ୍ରସ୍ତୁତ ହେବ ଲ୍ୟାଣ୍ଡ ବ୍ୟାଙ୍କ
କ୍ଷତିପୂରକ ବନୀକରଣ ପାଇଁ ପ୍ରସ୍ତୁତ ହେବ ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ବର: ଅବକ୍ଷୟମୁଖୀ ରାଜସ୍ବ ଜଙ୍ଗଲ ଜମିରେ ସୃଷ୍ଟି ହେବ ଲ୍ୟାଣ୍ଡ ବ୍ୟାଙ୍କ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କ୍ଷତିପୂରଣ ବନୀକରଣ ପାଇଁ ଏହି ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ହେବ । ଲ୍ୟାଣ୍ଡ ବ୍ୟାଙ୍କରେ ଅନ୍ତର୍ଭୁକ୍ତ ହୋଇଥିବା ଜମିକୁ ଭାରତୀୟ ଜଙ୍ଗଲ ଅଧିନୟମ 1927 କିମ୍ବା ଅନ୍ୟ କୌଣସି ନିୟମ ଅନୁଯାୟୀ ଜଙ୍ଗଲ ଭାବରେ ସୂଚିତ ନକରି ଏହି ଜମି ରଖାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରକାଶ ପାଇଛି । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ମିଳିଛି । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଲ୍ୟାଣ୍ଡ ବ୍ୟାଙ୍କରେ ରହିବା ଜମିକୁ କେବଳ କ୍ଷତିପୂରଣ ବନୀକରଣ ପାଇଁ ବ୍ୟବହୃତ କରାଯିବ । ଏହି ଜମି ଚିହ୍ନଟ ପାଇଁ ମାର୍ଗଦର୍ଶିକା ଜାରି କରିଛି ବିଭାଗ । ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଜିଲ୍ଲାପାଳଙ୍କ ନେତୃତ୍ବରେ ଗଠନ ହୋଇଥିବା ଜିଲ୍ଲାସ୍ତରୀୟ କମିଟି ରିପୋର୍ଟ ଆଧାରରେ ଏହି ଜମି ଚିହ୍ନଟ ହେବ । ଚିହ୍ନଟ ଜମି ସର୍ବନିମ୍ନ 25 ହେକ୍ଟର ପରିମାଣର ଏକ କମ୍ପାକ୍ଟ ପ୍ୟାଚ ଆକାରରେ ରହିଥିବ । ଲ୍ୟାଣ୍ଡ ବ୍ୟାଙ୍କ ଭାରତୀୟ ଜଙ୍ଗଲ ଅଧୀନରେ ଘୋଷିତ ହୋଇଥିବା କିମ୍ବା ସଂରକ୍ଷିତ କ୍ଷେତ୍ର ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ କିମ୍ବା ଏକ ନିର୍ଦ୍ଦିଷ୍ଟ ହିଂସ୍ର ଜନ୍ତୁ କରିଡ଼ର ହୋଇଥିଲେ ଲ୍ୟାଣ୍ଡବ୍ୟାଙ୍କର ଆକାର ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ତେବେ ଏହି ଲ୍ୟାଣ୍ଡ ବ୍ୟାଙ୍କରୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର କ୍ଷତିପୂରଣ ବନୀକରଣ ପାଇଁ ଜମି ନେଲେ ରାଜ୍ୟ ସରକାରଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । କିନ୍ତୁ କେନ୍ଦ୍ର ସରକାରଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଅର୍ଥ ଦେବାକୁ ପଡିବ ।

ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ଜଙ୍ଗଲ ଜମିକୁ ବ୍ୟବହାର କରାଯାଉଛି । ଏହା ବଦଳରେ କ୍ଷତିପୂରଣ ବନୀକରଣ ଲାଗି ଯୋଜନା କରାଯାଇଛି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ବିଭିନ୍ନ ସମୟରେ ନିୟମରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି । ସମୟ ଅନୁସାରେ ଏହିଭଳି ନିୟମର ଅନୁପାଳନ କରାଯାଇ ଜମିର ଉପଲବ୍ଧତା କମିଛି । ରାଜ୍ୟ ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ବିକାଶ ଉଦ୍ଦେଶ୍ୟରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସରକାରୀ ଜମି ଖୋଜିବା ଆହ୍ବାନ ହେଉଛି । ତେଣୁ କ୍ଷତିପୂରଣ ବନୀକରଣ ଲାଗି ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ପାଇଁ ଜମି ଉପଲବ୍ଧ କରାଇବା ରାଜ୍ୟ ସରକାରଙ୍କ ପାଇଁ କଷ୍ଟସାଧ୍ୟ କାର୍ଯ୍ୟ ହୋଇଛି । ସବୁ ଦିଗରୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details