ଭୁବନେଶ୍ବର:ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ସିଗ୍ନାଲ ଫେଲ୍ ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଥିବା ନେଇ ସୂଚନା ଦିଆଯାଇଛି । ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ପୁରା ଦୁର୍ଘଟଣା ଘଟିଛି ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ।
ବାଲେଶ୍ବର ଟ୍ରେନ ଟ୍ରାଜେଡିକୁ ନେଇ ଚାଲିଛି ଉଦ୍ଧାର କାର୍ଯ୍ୟ । କିପରି ଦୁର୍ଘଟଣା ଘଟିଲା ସେନେଇ ଚାଲିଛି ଉଚ୍ଚସ୍ତରୀୟ ତଦନ୍ତ । ଏହାରି ମଧ୍ୟରେ ୨୪ ଘଣ୍ଟା ନ ପୁରୁଣୁ ଆସିଛି ପ୍ରାଥମିକ ରିପୋର୍ଟ । ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁଁ ଏତେ ବଡ଼ ଘଟଣା ଘଟିଥିବା କହିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗ୍ନାଲ ଦିଆଯାଇଥିଲା । ତେବେ ହଠାତ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା । କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ ଲୁପ୍ ଲାଇନ ବା ସାଇଡ୍ ଲାଇନରେ ପ୍ରବେଶ କରିଯାଇଥିଲା ।
ଏହା ବି ପଢନ୍ତୁ- Odisha Train Tragedy: ସାଂସଦଙ୍କୁ ବରୁଣଙ୍କ ଅପିଲ, ଦରମାରୁ କିଛି ସାହାଯ୍ୟ କର
ଏହି ସମୟରେ ଲୁପ ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା । ଫଳରେ ଯାତ୍ରୀବାହୀ କରମଣ୍ଡଳ ଏକ୍ସପ୍ରେସ ଏହାକୁ ଖୁବ ଜୋରରେ ଧକ୍କା ଦେଇଥିଲା । ଏଥିଯୋଗୁଁ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ସମୟରେ ୧୨୮୬୪ ଟ୍ରେନଟି ମୁଖ୍ୟ ଲାଇନରେ ଆସୁଥିଲା । ଏହି ଟ୍ରେନଟିର ୨ଟି ବଗି ମଧ୍ୟ କରମଣ୍ଡଳ ସହ ଧକ୍କା ହୋଇ ଲେଉଟି ପଡ଼ିଥିଲା । ଦୁର୍ଘଟଣାରେ ମୋଟ ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ପୁରା ଦୁର୍ଘଟଣା ଘଟିଛି ।