ଭୁବନେଶ୍ବର: ୟୁଟ୍ୟୁବର କାମିଆ ଜାନିଙ୍କ ବିବାଦୀୟ ଶ୍ରୀକ୍ଷେତ୍ରର ଭ୍ଲୋଗିଙ୍ଗ ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଝଡ଼ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ବାକ୍ଯୁଦ୍ଧ ଏବେବି ଜାରି ରହିଛି । ଏହି ବିବାଦ ପ୍ରସଙ୍ଗକୁ ନେଇ ମୋର୍ଚା ଖୋଲିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ସଙ୍ଗଠନ । ଏ ନେଇ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଗୋ ମାଂସର ପ୍ରଚାର କରୁଥିବା ନାମୀ ବ୍ଲଗର କାମିଆ ଜାନିଙ୍କ ଦ୍ଵାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନାତନୀ ହିନ୍ଦୁଙ୍କୁ ଦୁଃଖ ଦେଇଛି । ଫଳରେ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଆଘାତ ହୋଇଛି ।
ତେଣୁ କାମିଆଙ୍କ ବିରୋଧରେ ମାମଲା ସହ ମନ୍ଦିର ପ୍ରବେଶ କରିଥିବା ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ମାମଲା ପାଇଁ ଦାବୀ କରିଛି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଏହା ସହ ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରକୁ ପରିଚାଳିତ କରୁଥିବା କିଛି ଅଣଓଡ଼ିଆ ବ୍ୟକ୍ତି ବିଶେଷ ଏବଂ ଅନ୍ୟ କିଛି କୁଚକ୍ରୀ ମାନଙ୍କ ହୀନ ଚକ୍ରାନ୍ତ କାରଣରୁ ଜଗନ୍ନାଥ ସଂସ୍କୃତିର ମର୍ଯ୍ୟାଦା ହାନୀ ହେବା ସହିତ ଓଡିଆଙ୍କ ପରିଚୟ ସଙ୍କଟ ସୃଷ୍ଟି ହୋଇଛି । ସରକାରୀ କଳ ପ୍ରୟୋଜିତ ଭାବେ ଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ କରୁଛନ୍ତି ଆଗାମୀ ଦିନରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଏହା ବିରୋଧରେ ବଡ ପଦକ୍ଷେପ ନେବ । ଏଭଳି କୁକାର୍ଯ୍ୟ ପଛରେ କୌଣସି ବୃହତ ଷଡଯନ୍ତ୍ର କାର୍ଯ୍ୟ କରୁଥିବା ଭଳି ସନ୍ଦେହ ସୃଷ୍ଟି ହୋଇଛି।