ଭୁବନେଶ୍ବର: ୨୦୨୪ ପୂର୍ବରୁ ଅର୍ଥାତ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏନେଇ ଶୁଣିବାକୁ ପାଉଥିବା କହି ସଙ୍କେତ ଦେଇଥିଲେ । ତେବେ ଏନେଇ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ସହ ରାଜନୈତିକ ସମୀକ୍ଷକ ପ୍ରତିକ୍ରିୟା ରଖିଛନ୍ତି । ସମସ୍ତେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଥିବାବେଳେ ଆଗୁଆ ନିର୍ବାଚନ ଶାସକ ବିଜେଡିକୁ ସୁହାଇବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।
'ଆଗୁଆ ବିଧାନସଭା ନିର୍ବାଚନ ନବୀନ ଓ ଲୋକସଭା ନିର୍ବାଚନ ମୋଦିଙ୍କୁ ଫାଇଦା'
ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ, ଓଡିଶାରେ ବିଧାନସଭା ନିର୍ବାଚନ ଆଗୁଆ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ସେ କହିଛନ୍ତି, "ଯଦି ଆଗୁଆ ନିର୍ବାଚନ ହୁଏ, ଏହା ନବୀନଙ୍କ ସପକ୍ଷରେ ଯିବ । କାରଣ କ୍ଷମତା, ସରକାରୀ କଳ ସବୁ ବିଜେଡି କବଜାରେ ରହିଛି । ତେଣୁ ଅଧିକ ଲାଭ ବିଜେଡି ହିଁ ଉଠାଇ ପାରିବ । କିନ୍ତୁ ଯଦି ଲୋକସଭା ନିର୍ବାଚନ ଆଗୁଆ ହୁଏ, ତେବେ ମୋଦିଙ୍କୁ ଫାଇଦା ମିଳିବ । କାରଣ କେନ୍ଦ୍ରର ସମସ୍ତ ନେତା ମନ୍ତ୍ରୀ ଓଡିଶାରେ ଏକାଠି ହେବେ । ଯାହାକୁ ଚ୍ୟାଲେଞ୍ଜ କରିବା ବିଜେଡି ପାଇଁ ଏତେଟା ସହଜ ହେବ ନାହିଁ ।
'ଆଗୁଆ ନିର୍ବାଚନ ବାଇପୋଲାର ହେବ'
ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଯଦି ଆଗୁଆ ନିର୍ବାଚନ ହେଉଛି ତେବେ ଏହା ବାଇପୋଲାର ଲଢେଇ ହେବ । ଯଦି କଂଗ୍ରେସ ନିଜ ଭୋଟକୁ ପାଖରେ ରଖିଲା ତେବେ ଜୋରଦାର ଲଢେଇ ବିଜେଡି ଓ ବିଜେପି ମଧ୍ୟରେ ହେବ । କିଏ ଜିତିବ କହିବା ମୁସ୍କିଲ । କିନ୍ତୁ ଯଦି କଂଗ୍ରେସ ଭୋଟ ବିଜେଡି ହାତକୁ ଚାଲିଗଲା ତେବେ ପଦ୍ମପୁର ପରି ସ୍ଥିତି ହେବ । କିମ୍ବା ଧାମନଗର ପରି ଯଦି ରାଜୁ ଦାସଙ୍କ ପରି ବିଦ୍ରୋହୀ ପ୍ରାର୍ଥୀ ବାହାରନ୍ତି ତେବେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ହେବ । କିନ୍ତୁ ରାଜ୍ୟରେ ଶାସକ ଦଳରେ ବିଦ୍ରୋଦ ବିଜେପିକୁ ସୁହାଇବ ।"
'ନବୀନ ବିଚାର କରିବେ'