ଭୁବନେଶ୍ବର:ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସାପ ଉଦ୍ଧାର ଓ ଥଇଥାନ ପାଇଁ ଜାରି ହୋଇଛି ଗାଇଡ଼ଲାଇନ । କିନ୍ତୁ ଏହି ଗାଇଡଲାଇନ ଆଇନତଃ ଅସିଦ୍ଧ ହୋଇଥିବାରୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ଗାଇଡ଼ଲାଇନକୁ ସଂଶୋଧନ କରି ଆଉଥରେ ଜାରି କରିବା ପାଇଁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାବି କରିଛନ୍ତି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ କିପରି ଭାବରେ ଗାଇଡଲାଇନରେ ଉଲ୍ଲଙ୍ଘନ କରାଯାଇଛି ସେନେଇ ସମସ୍ତ ତଥ୍ୟ ପ୍ରମାଣ ସହିତ ତର୍ଜମା କରି ସେ ଅଭିଯୋଗ କରିଛନ୍ତି ।
ବନ ବିଭାଗ ଗତ ୯ ଅଗଷ୍ଟ ୨୦୨୩ ତାରିଖରେ ରାଜ୍ୟରେ ସାପ କିପରି ଉଦ୍ଧାର କରାଯିବ ସେନେଇ ଓସଡମା ସହାୟତାରେ ଏକ ଗାଇଡଲାଇନ ଜାରି କରିଥିଲା । ହେଲେ ଏହି ଗାଇଡଲାଇନରେ ଗୁରୁତର ଆଇନଗତ ତ୍ରୁଟି ଯୋଗୁଁ ବସ୍ତୁତଃ ଅସିଦ୍ଧ ହୋଇଛି ।
ଆଇନଗତ ତ୍ରୁଟି:
୧. ଗାଇଡଲାଇନରେ ଡିଏଫଓମାନେ ବନ୍ୟପ୍ରାଣୀ ଆଇନର ଧାରା ୧୧ ଅନୁଯାୟୀ ସାପ ଧରାଳିଙ୍କୁ ସାର୍ଟିଫିକେଟ ଦେବେ ବୋଲି ଦର୍ଶାଯାଇଛି । ଯାହା ସମ୍ପୂର୍ଣ୍ଣ ନିରାଧାର । ୧ ଏପ୍ରିଲ ୨୦୨୩ରେ ସଂଶୋଧିତ ଆଇନ ଲାଗୁ ହେବା ଦିନ ଠାରୁ ଧଣ୍ଡ, ଢମଣା, ନାଗ, ତମ୍ପ, ଚନ୍ଦନ ବୋଡା, ଅଜଗର, ଅଲିଭ ଧଣ୍ଡ ଆଦି ସାପଙ୍କୁ ତଫସିଲ ୧ ତାଲିକାରେ ରଖାଯାଇଛି । ଏଥି ନିମନ୍ତେ କେବଳ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ହିଁ ଅନୁମତି ଦେବା ପାଇଁ କ୍ଷମତାପ୍ରାପ୍ତ । ଡିଏଫଓମାନଙ୍କର ଆଇନଗତ କ୍ଷମତା ନଥିବାରୁ ଗାଇଡଲାଇନଟି ସ୍ବତଃ ଅସିଦ୍ଧ ହୋଇଯାଇଛି । ତେବେ ବନ୍ୟପ୍ରାଣୀ ଆଇନର ଧାରା ୧୨ର ଉପଧାରା (bb)ର (i) ଛାୟାରେ ହିଁ ସାପ ଉଦ୍ଧାର ପାଇଁ ଅନୁମତି ଦିଆଯାଇପାରିବ । ତାହା କେବଳ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ କ୍ଷମତା ଅନ୍ତର୍ଭୁକ୍ତ ।
୨. ଗାଇଡଲାଇନରେ ତଫସିଲ ୪ ତାଲିକାରେ ଥିବା ସାପଙ୍କୁ ଧରିଲେ ମଧ୍ୟ ଦଣ୍ଡନୀୟ ବୋଲି ଦର୍ଶାଯାଇଛି । ଯାହାକି ବନ୍ୟ ପ୍ରାଣୀ ଆଇନର ଧାରା ୯ର ବିରୁଦ୍ଧାଚରଣ କରୁଛି । ତଫସିଲ ୪ରେ ବିଦେଶୀ ବା Exotic ସାପମାନଙ୍କୁ ରଖାଯାଇଛି । ତେଣୁ ବିଦେଶୀ ସାପଙ୍କ ପାଇଁ ଧାରା ୯ ପ୍ରୟୋଗ କରାଯାଇ ପାରିବ ନାହିଁ ବୋଲି ଆଇନରେ ସ୍ପଷ୍ଟ ଉଲ୍ଲେଖ ଅଛି ।
୩. ସାପ ଉଦ୍ଧାର କାର୍ଯ୍ୟ ପାଇଁ ବନ ବିଭାଗ କର୍ମଚାରୀମାନେ ମଧ୍ୟ ସାପ ଧରାଳି ହେବା ପାଇଁ ଦରଖାସ୍ତ କରିପାରିବେ ବୋଲି ଉଲ୍ଲେଖ ଅଛି । ଯାହା ବନ୍ୟପ୍ରାଣୀ ଆଇନର ଧାରା ୬୦ର ବିରୁଦ୍ଧାଚରଣ । ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ବନ କର୍ମଚାରୀଙ୍କ ସରକାରୀ କର୍ତ୍ତବ୍ୟ । ଏଥିପାଇଁ ଆଇନ ଅନୁଯାୟୀ ତାଙ୍କର କାହାରି ଅନୁମତି ଆଦୌ ଆବଶ୍ୟକ ନାହିଁ ।
୪. କେବଳ ସାର୍ଟିଫିକେଟ ପାଇଥିବା ସାପ ଧରାଳିମାନେ ହିଁ କେଉଁ ଲୋକଙ୍କ ଘରେ ସାପ ପଶିଲେ ଉଦ୍ଧାର କରିପାରିବେ ବୋଲି ଉଲ୍ଲେଖ ଅଛି । ତାହା ମଧ୍ୟ ବନ୍ୟପ୍ରାଣୀ ଆଇନର ଧାରା ୧୧, ୩୯ର ବିରୁଦ୍ଧାଚରଣ କରୁଛି । ଧାରା ୧୧(୨)ରେ ଯେକୌଣସି ବନ୍ୟପ୍ରାଣୀ (ସାପ ଅନ୍ତର୍ଭୁକ୍ତ)କୁ ଉତ୍ତମ ବିଶ୍ଵାସରେ ନିଜର ବା ଅନ୍ୟର ସୁରକ୍ଷା ପାଇଁ ମାରିଲେ ବା ଆଘାତ କରିଲେ ମଧ୍ୟ ଏକ ଅପରାଧ ହେବ ନାହିଁ । ସେହିପରି, ଧାରା ୩୯(୨)ରେ ସ୍ପଷ୍ଟ ଉଲ୍ଲେଖ ଅଛି କି ଯେକୌଣସି ବ୍ୟକ୍ତି ଯେକୌଣସି ଉପାୟରେ ଯଦି କେଉଁ ସାପ ଧରିବେ, ତାଙ୍କୁ ୪୮ ଘଣ୍ଟା ଭିତରେ ନିକଟସ୍ଥ ପୋଲିସ ଥାନା ବା ଅଧିକୃତ କାର୍ଯ୍ୟାଳୟରେ ହସ୍ତାନ୍ତର କରିବାକୁ ହେବ । ସର୍ବୋପରି, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୫୧ (A)(g) ଅନୁଯାୟୀ ବନ୍ୟ ପ୍ରାଣୀଙ୍କୁ (ସାପ ସମେତ) ସୁରକ୍ଷା ଦେବା ପ୍ରତ୍ୟେକ ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ । ମୌଳିକ କର୍ତ୍ତବ୍ୟ ପାଳନ ପାଇଁ କାହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।
ଏହାମଧ୍ୟ ପଢନ୍ତୁ: ସାପ ଧରାଳିଙ୍କ ପାଇଁ ଗାଇଡଲାଇନ, ମିଳିବ ସୁରକ୍ଷା ଟୁଲ୍ କିଟ୍
ଗାଇଡଲାଇନ ପାଳନରେ ବାଧା ଏବଂ ସମାଧାନ ପାଇଁ ପ୍ରସ୍ତାବ:
ସାପ ଉଦ୍ଧାରକାରୀଙ୍କ ପାଇଁ ଏଇ ଗାଇଡଲାଇନ ପାଇଁ ଅନେକ ବାଧା ଅଛି । ସେଗୁଡିକ ମଧ୍ୟରୁ କିଛି ମୁଖ୍ୟ ବାଧା ହେଲା –
୧. ଯେଉଁମାନେ ସାପ ଧରିବା ପାଇଁ ଯିବେ, ସେମାନେ ମାଗଣାରେ କାମ କରିବେ । ଯାହା ଅସମ୍ଭବ ।
୨. ସାପ ଧରିବା ବେଳେ ଉପସ୍ଥିତ ଦେଖଣାହାରୀଙ୍କୁ ଯଦି ସାପ କାମୁଡ଼ିଲା, ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରେଇବା ଦାୟିତ୍ଵ ସାପ ଧରାଳିଙ୍କ ମୁଣ୍ଡରେ ଲଦିବା ଅତ୍ୟନ୍ତ ହାସ୍ୟାସ୍ପଦ । ସେଥିପାଇଁ ଜଣେ ଗରିବ ସାପ ଧରାଳି କ'ଣ ଆମ୍ବୁଲାନ୍ସ ଧରି ସାପ ଧରିବା ପାଇଁ ଯିବା ଅସମ୍ଭବ ।
୩. ସାପକୁ ପ୍ରାକୃତିକ ଆବାସରେ ଛାଡିବା ବେଳେ ବନ କର୍ମଚାରୀ ବାଧ୍ୟତାମୂଳକ ଭାବରେ ଉପସ୍ଥିତ ରହିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ଅଛି । ଏହା ମଧ୍ୟ ଅସମ୍ଭବ । କାରଣ ସେତିକି ସଂଖ୍ୟକ କର୍ମଚାରୀ ବନ ବିଭାଗରେ ନାହାନ୍ତି । ତେବେ ଏ ସମସ୍ୟା ସମାଧାନ ପାଇଁ ସାପ ଉଦ୍ଧାର ସ୍ଥାନରେ ବନ କର୍ମଚାରୀମାନେ ଉପସ୍ଥିତ ରହିବେ । ଲୋକଙ୍କ ଭିଡ ନିୟନ୍ତ୍ରଣ କରିବେ । ସେଇ ସ୍ଥାନରୁ ସାପ ଧରାଳିଙ୍କ ଠାରୁ ସାପ ନେଇଯିବେ । ସାପ ଛାଡ଼ିବା କାମ କେବଳ ବନ କର୍ମଚାରୀ ହିଁ କରିବେ । ଯାହା ଲେଖାପଢା କରିବା କଥା ସେଇଟା ମଧ୍ୟ ବନ କର୍ମଚାରୀ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଛି ।
ଯଦି ବନ କର୍ମଚାରୀ ମାନଙ୍କ ପାଇଁ ଛାଡିବା ବେଳେ ଉପସ୍ଥିତ ରହିବା ବାଧ୍ୟ ବରଂ ଧରିବା ବେଳେ ରୁହନ୍ତୁ । ସାପ ଧରାଳି ବା ଦେଖଣାହାରୀ କାହାକୁ ଯଦି ସାପ କାମୁଡିଲା, ତାଙ୍କୁ ବନ କର୍ମଚାରୀ ଡାକ୍ତରଖାନା ନେଇଯିବେ ବୋଲି ଶୁଭେନ୍ଦୁ କହିଛନ୍ତି ।