ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସଫଳତାର ହିସାବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ । ୨୦୧୯-୨୦ ଆର୍ଥିକ ବର୍ଷରୁ ୬.୫ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଗତ ୪ ବର୍ଷରେ ଦକ୍ଷତା ପ୍ରତିଷ୍ଠାନ ଗୁଡିକ ଭିତ୍ତିଭୂମି ସମ୍ପ୍ରସାରଣ କରାଯାଇଛି । ୩୪ଟି ସରକାରୀ ପଲିଟେକନିକ୍, ୮୨ଟି ଦକ୍ଷତା ବିକାଶ କେନ୍ଦ୍ର, ଦୁଇଟି ପରିଚାଳନା ପ୍ରତିଷ୍ଠାନ, ୫ଟି ଇଞ୍ଜିନିୟରିଂ କଲେଜ ଏବଂ ୩ଟି ବୈଷୟିକ ବିଶ୍ଵବିଦ୍ୟାଳୟ ସହ ୬୦ ଶିଳ୍ପ ତାଲିମ କେନ୍ଦ୍ରରେ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସେହିଭଳି ଆଇଟିଆଇରେ ଝିଅ ମାନଙ୍କ ନାମଲେଖାକୁ ଅଧିକ କରିବା ପାଇଁ ସରକାରଙ୍କ ସୁଦକ୍ଷା ଯୋଜନା ସଫଳ ହୋଇଛି । ରାଜ୍ୟରେ ବେକାରୀ ହାର ହ୍ରାସ ପାଇଛି । ଏକ ସମୃଦ୍ଧ ଭବିଷ୍ୟତ ପାଇଁ ପ୍ରଯୁକ୍ତିବିଦ୍ୟା ଦ୍ବାରା ପରିଚାଳିତ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଦକ୍ଷତା ବିକାଶ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି । ବିଭାଗୀୟ ସଚିବଙ୍କ ସୂଚନା ଅନୁସାରେ, ଟେକ୍ନିକାଲ କ୍ଷେତ୍ରରେ ଯେଉଁ ସବୁ ଅନୁଷ୍ଠାନ ରହିଛି, ସେସବୁକୁ ଉଚ୍ଚମାନର କରାଯାଇଛି । କେବଳ ITI ଛାତ୍ର ନୁହନ୍ତି, ସ୍କୁଲ ପାସ ଆଉଟ ପିଲାଙ୍କ ଦକ୍ଷତା ବିକାଶକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି । ରୋଜଗାର ବଢାଇବା ପାଇଁ ବିଭାଗ ସଦାସର୍ବଦା ଚେଷ୍ଟାରତ । ଶିକ୍ଷାର ମାନ ବୃଦ୍ଧି ପାଇଁ ଭଲ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ରାଜ୍ୟବାସୀ ଓ ଛାତ୍ର ମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପରିଚିତ କରିବା ପାଇଁ ବିଶ୍ବସ୍ତରୀୟ ସଂସ୍ଥା ସହ ସମ୍ପର୍କ ସ୍ଥାପନ କରାଯାଇଛି ।