ଖୋର୍ଦ୍ଧା: ବାଣପୁର ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ମାଣିକପୁର-ଅଙ୍ଗାର ଗାଁ ରାସ୍ତାରେ ଡକାୟତି ପାଇଁ ଯୋଜନା ଚଳାଇଥିବା ବେଳେ ବାଣପୁର ଓ ବାଲୁଗାଁ ପୋଲିସର ଏକ ଟିମ୍ ଆନ୍ତଃଜିଲ୍ଲା ଡକାୟତି ଦଳର ୬ ସଦସ୍ୟଙ୍କୁ ଗିରଫ କରିଛି । ହେଲେ ଅନ୍ୟ ୩ ଜଣ ଡକାୟତ ଫେରାର ହୋଇଯାଇଛନ୍ତି । ଗିରଫ ଡକାୟତଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ ସମେତ ବ୍ୟାପକ ମାରଣାସ୍ତ୍ର ଜବତ କରିଛି । ଗୁରୁବାର ଅପରାହ୍ନରେ ବାଣପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଏହି ସୂଚନା ଦେଇଛନ୍ତି ଏବଂ ଫେରାର ୩ ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।
ଏସପିଙ୍କ ସୂଚନା ଅନୁସାରେ, ବାଲୁଗାଁ ନୂଆଗଡ଼ ଅଞ୍ଚଳର କୁଖ୍ୟାତ ନିଶାଦ୍ରବ୍ୟ ଚାଲାଣକାରୀ ମାନସ ପଲେଇ ଓରଫ ଚନ୍ଦ୍ର ନିଜର କେତେକ ସହଯୋଗୀଙ୍କ ସହ ଡକାୟତି ପାଇଁ ଯୋଜନା ଚଳାଇଥିବା ବୁଧବାର ରାତିରେ ପୋଲିସକୁ ଖବର ମିଳିଥିଲା । ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବାଣପୁର, ବାଲୁଗାଁ ଓ ନାଚୁଣୀ ପୋଲିସ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ବୁଧବାର ରାତି ପ୍ରାୟ ସାଢେ ୨ଟାରେ ଏହି ଟିମ୍ ଗଞ୍ଜାମ ଜିଲ୍ଲା ଉପକଣ୍ଠ ଶାଳିଆ ଡ୍ୟାମ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ତିନି ଜଣ ଦୌଡି ପଳାଇଥିବା ବେଳେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା ।
ଏହାମଧ୍ୟ ପଢନ୍ତୁ: ବିବାହରେ ଅତିଥି ବେଶରେ ସାମିଲ ହେଲେ ଲୁଟେରା, ମଉକା ଦେଖି ଉପହାର ବ୍ୟାଗ ନେଇ ଛୁ