ଓଡିଶା

odisha

ETV Bharat / state

Sisira Sarasa Mela 2023: ଜାନୁଆରୀ 13ରୁ ଶିଶିର ସରସ - ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି

ଭୁବନେଶ୍ବର ଏବଂ ରାଉରକେଲାରେ ହକି ବିଶ୍ବକପ ସମୟରେ ଜାନୁଆରୀ 13-29 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଶିଶିର ସରସ -2023 । ଏନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ

sisira sarasa mela meeting
sisira sarasa mela meeting

By

Published : Dec 29, 2022, 9:05 PM IST

ଭୁବନେଶ୍ବର: ଶିଶିର ସରସ-2023 ପାଇଁ ଭୁବନେଶ୍ବର ୟୁନିଟ-8 ସ୍ଥିତ ଏସ.ଆଇ.ଆର.ଡି ଆଣ୍ଡ ପି.ଆର. କନଫରେନସ ହଲରେ ଆୟୋଜିତ ହୋଇଯାଇଛି ପ୍ରସ୍ତୁତି ବୈଠକ । 2023 ହକି ବିଶ୍ବକପ୍ ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣି ଦେଉଛି ଜାତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଶିଶିର ସରସ -2023 । ଏହି ମେଳା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ବାରା ଆୟୋଜନ କରାଯାଉଛି । ତେବେ ଏଥର ଭୁବନେଶ୍ବର ଏବଂ ରାଉରକେଲାରେ ହକି ବିଶ୍ବକପ ସମୟରେ ଜାନୁଆରୀ 13-29 ତାରିଖ ପର୍ଯ୍ୟନ୍ତ ଏହି ମେଳା ଆୟୋଜନ ହେବ ।

ଅନ୍ୟପଟେ ମେଳାକୁ ଅଧିକ ଆକର୍ଷଣୀୟ ଏବଂ ଚିତ୍ତାକର୍ଷକ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନିଆଯାଉଛି । ଏ ପ୍ରସଙ୍ଗରେ ଆୟୋଜିତ ଶିଶିର ସରସ-2023 ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର । ବୈଠକରେ ଅଧ୍ୟକ୍ଷତା କରିଥିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି । ଏଥର ଭୁବନେଶ୍ବରରେ ଶିଶିର ସରସ ମେଳା ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆ ଆୟୋଜନ ହେବ ।

ଜାନୁଆରୀ 13 ରୁ 29 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜାତୀୟସ୍ତରୀୟ ମେଳାରେ ମୋଟ 350ଟି ଷ୍ଟଲ ସହିତ ଏବଂ ଓଡ଼ିଶାର ସମସ୍ତ 30ଟି ଜିଲ୍ଲାରୁ ଏସ୍.ଏଚ୍.ଜି ମାନଙ୍କର ହାତ ତିଆରି ସାମଗ୍ରୀ ରହିବ। ଏଥି ସହିତ 26ଟି ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ଷ୍ଟଲରେ ବିକ୍ରି ହେବ । ମେଳାରେ ପ୍ରତି ସନ୍ଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ଯୋଜନା ରହିଛି । ସେହିପରି ସ୍ବତନ୍ତ୍ର ଫୁଡକୋର୍ଟ ସହ , ସେଲଫି ପଏଣ୍ଟ, ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେହିପରି ଜିଲ୍ଲାସ୍ତରରେ ମଧ୍ୟ ହକି ବିଶ୍ବକପ ସମୟରେ ଓରମାସ, ଜିଲ୍ଲା ମୁଖ୍ୟାଳୟରେ ପଲ୍ଲିଶ୍ରୀ ମେଳା ଆୟୋଜନ କରିବାକୁ ଯାଉଛି । ଏଥିପାଇଁ ମଧ୍ୟ ଜିଲ୍ଲାସ୍ତରରେ ପ୍ରସ୍ତୁତି ଚାଲିଥିବା ସୂଚନା ଦିଆଯାଇଥିଲା ।

ହକି ବିଶ୍ବ କପ୍ ସମୟରେ ମେଳା ବୁଲିବାକୁ ଆସିଥିବା ଗ୍ରାହକ ତଥା ପରିଦର୍ଶକଙ୍କ ପାଇଁ ବଡ ଏଲ୍.ଇ.ଡି ସ୍କ୍ରିନରେ ହକି ମ୍ୟାଚର ସିଧାପ୍ରସାରଣ ଦେଖିବା ପାଇଁ ମଧ୍ୟ ଆୟୋଜକଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଭୁବନେଶ୍ବର ପୋଲିସ ଓ ଟ୍ରାଫିକ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ମିଶନ ଶକ୍ତି ବିଭାଗ, ବି.ଏମ.ସି., ବିଡିଏ, ଓ୍ବାଟକୋ, ନାବାର୍ଡ, ଏସ.ଏସ.ଇ.ପି.ଡି, ଇମେଜ ଓ ଟ୍ରାଇଫେଡ ସହ ବିଭିନ୍ନ ସରକାରୀ ସଂସ୍ଥା ଏବଂ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧି ଯୋଗ ଦେଇଥିଲେ । 2023 ଶିଶିର ସରସ ମେଳାକୁ ସଫଳତାର ସହ ଆୟୋଜନ କରିବା ପାଇଁ ପ୍ରମୁଖ ଶାସନ ସଚିବ, ସହଯୋଗ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details