ଭୁବନେଶ୍ବର:ଭୁବନେଶ୍ୱର ବିମାନବନ୍ଦରରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନକୁ ପୂଜା କଲେ ଶ୍ରୀଜଗନ୍ନାଥ ସେନା ସଦସ୍ୟ । ମହାଦୀପ ଜାଳି ଏବଂ ପତିତପାବନ ବାନା ଦେଇ ଜଗନ୍ନାଥ ସେନା ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଡାକୋଟାର ରଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏହାର ରଙ୍ଗ ପରିବର୍ତ୍ତନ କରାଯାଇ ପ୍ରକୃତ ରଙ୍ଗ ଦେବାକୁ ସେ ଦାବି କରିଛନ୍ତି ।
ଏନେଇ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସଫଳ ହେଲା ଶ୍ରୀଜଗନ୍ନାଥ ସେନାର ଆନ୍ଦୋଳନ। ବିଜୁବାବୁଙ୍କ ପ୍ରିୟ ଐତିହାସିକ ଡାକୋଟା ଓଡ଼ିଶା ଫେରିଛି । ହେଲେ ଏହି ଡାକୋଟା ବିମାନ ନୀଳବର୍ଣ୍ଣ ଶୃଗାଳ ଭଳି ଦେଖା ଯାଉଛି । ଏହା ବିଜୁ ବାବୁଙ୍କ ଡାକୋଟା ଭଳି ଦେଖା ଯାଉନି । ଏୟାରଫୋର୍ସ ବିମାନ ଭଳି ରଙ୍ଗ ଦେଇ ଥୋଇ ଦେଇଛନ୍ତି ବୋଲି କହିଛି ଜଗନ୍ନାଥ ସେନା । ଏପଟେ ଓଡ଼ିଶାକୁ ଡାକୋଟା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଜଗନ୍ନାଥ ସେନା ଦାବି କରିଥିଲା । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଠାରେ ଦାବି କରିଥିଲା । ରାଜ୍ୟ ସରକାରଙ୍କ ସହ ମିଶି ଡାକୋଟା ନେଇ ଯିବାକୁ ଏୟାରପୋର୍ଟ ଅଧିକାରୀ ମଧ୍ୟ ଜଗନ୍ନାଥ ସେନାକୁ ଜବାବରେ କହିଥିଲେ । ରାଜ୍ୟକୁ ଐତିହାସିକ ଡାକୋଟା ଆସିଲା, କିନ୍ତୁ ଜଗନ୍ନାଥ ସେନାକୁ ନିମନ୍ତ୍ରଣ କରାଯାଇନଥିବା ନେଇ ପ୍ରିୟଦର୍ଶନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି ।