ଭୁବନେଶ୍ବର: ନିକଟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିଲା ନୋଟିସ । ଯେଉଁଥିରେ ଥିଲା ରାଜ୍ୟରେ ମାଳ ମାଳ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ କଳା କାରନାମା । ଏହା ମଧ୍ୟରେ ନାମକରା ସରକାରୀ କଲେଜରେ ସେକ୍ସ ରାକେଟ ଚାଲୁଥିବାର ସାଂଘାତିକ ଅଭିଯୋଗ ଆସିଥିଲା । ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ବୟଂଶାସିତ ସାଇନ୍ସ କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ଉଚ୍ଚ ଶିକ୍ଷା ବିଭାଗ । କିଛି ମହିଳା ଅଧିକାରୀ ଅନୁସନ୍ଧାନ କରିବା ପରେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣାପଡିଛି । ଏହି ଅଭିଯୋଗର କୌଣସି ପ୍ରମାଣ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।
ଏପଟେ ଅଭିଯୋଗ ଆବେଦନ ମଧ୍ୟ ଏକ ଯୋଜନାବଦ୍ଧ ହୋଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି କୌଣସି ଏପରି ଅଭିଯୋଗକାରୀ ନଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ସେହି କଲେଜର ଥିବା ଷ୍ଟାଫ୍ କାଉନସିଲ୍, ଆଲୁମିନି ଆସୋସିଏସନ୍, ଶିକ୍ଷକ, ଛାତ୍ରଛାତ୍ରୀ, ଏହାସହ ହଷ୍ଟେଲର ଅନ୍ତେବାସୀମାନେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ତେବେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡିଛି ଏବଂ ଅନୁଷ୍ଠାନକୁ ଖରାପ କରିବା ପାଇଁ ଏଭଳି ଅଭିଯୋଗ କରାଯାଇଥିବା କହିଛି ଉଚ୍ଚ ଶିକ୍ଷା ବିଭାଗ । ସୂଚନା ଅନୁଯାୟୀ, କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ପହଞ୍ଚିଥିଲା ଉଚ୍ଚଶିକ୍ଷା ବିଭାଗ ପାଖରେ । ଯାହାକୁ ନେଇ ବିଭାଗ ଉଦବେଗ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ।