ଭୁବନେଶ୍ବର:ଦୀର୍ଘ ଦିନ ବ୍ୟବଧାନରେ ଟ୍ରାକକୁ ଫେରିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । ସଞ୍ଜୟଙ୍କୁ ପୁନର୍ବାର ମିଳିଛି ସଂଗଠନ ଦାୟିତ୍ୱ । ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛି ସଞ୍ଜୟ ଦାସବର୍ମା । ଦଳୀୟ ନିଯୁକ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ । ଦଳରେ ନୂଆ ରକ୍ତ ପ୍ରବାହିତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।
ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିବା ପରେ ସଞ୍ଜୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ଵ ମିଳିଛି, ତାକୁ ପୂର୍ବ ଭଳି ନିର୍ବାହ କରିବି । ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ଭଦ୍ରକ ଜିଲ୍ଲାରେ ବହୁ ଅନୁଭବି ନେତା ବିଧାୟକମାନେ ଅଛନ୍ତି । ତାଙ୍କ ସହ ଆଗାମୀ ଦିନରେ ରଣକୌଶଳ ପ୍ରସ୍ତୁତ ହେବ । ସମସ୍ତଙ୍କ ସହ ବସି ଆଲୋଚନା ପରେ ଆଗାମୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଅଣ କଂଗ୍ରେସ ଆନ୍ଦୋଳନ ସମୟରୁ ମୁଁ ରହିଛି । ଯୁବ ଦାୟିତ୍ୱ ନେଇଛି । ସଭାପତି ହୋଇଛି । ଦଳର ସାଧାରଣ ସମ୍ପାଦକ ହୋଇଛି । ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଲମ୍ବା ସମୟ ଧରି ବିଜେଡିର ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଦୁଇ ଥର ବ୍ରହ୍ମଗିରିବାସୀ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ମୋ ପାଇଁ ଏହା ଗୋଟେ ଚ୍ୟାଲେଞ୍ଜ ।''