ଭୁବନେଶ୍ବର:ସ୍ମାର୍ଟ ସିଟିକୁ ସୁନ୍ଦର କରିବାକୁ ନୂଆ ନୂଆ ତରିକା ଆପଣାଉଛି ଭୁବନେଶ୍ବର ମହାନଗର ନିଗମ । ପରିମଳ କାର୍ଯ୍ୟରେ ବ୍ୟବହାର ହେବ ୱାକିଟକି । ପରିମଳ ସମେତ ଅନ୍ୟାନ୍ୟ କ୍ଷେତ୍ର ପାଇଁ ବ୍ୟବହୃତ ହେବ ୱାକିଟକି । ସାନିଟାରି ଇନ୍ସପେକ୍ଟର, ଏକ୍ସପର୍ଟଙ୍କ ସମେତ ୧୦୦ ଜଣଙ୍କୁ ଏହି ଉପକରଣ ପ୍ରଦାନ କରିଛି ବିଏମସି । ପରିମଳ କାର୍ଯ୍ୟରେ ଅଧିକରୁ ଅଧିକ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଆଣିବା ଭୁବନେଶ୍ବର ମହାନଗର ନିଗମ ବା ବିଏମସି ଏଭଳି ଏକ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ 32 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ଦଳଗତ କାର୍ଯ୍ୟର କ୍ଷେତ୍ର ପରିଚାଳନା ଏବଂ ନିୟନ୍ତ୍ରଣ କରି ପରିମଳ ଜନିତ କାର୍ଯ୍ୟକୁ କିପରି ଅଧିକ ଭଲରେ କରିହେବ ଏବଂ ଏକ ପେଷାଦାର ଯୋଗାଯୋଗ ପରିଚାଳନାକୁ ସ୍ବତନ୍ତ୍ର ଉପକରଣର ଉପଯୋଗରେ ଆଗେଇ ନେବ ଏହି ନୂଆ ଧାରା । ଏହି ଆଧାରରେ ଆଧୁନିକ ୱାକିଟକି ଯୋଗାଇବା ଆରମ୍ଭ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ବିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରଶିକ୍ଷଣ ସଭାରେ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରଶିକ୍ଷଣ ନେଉଥିବା କର୍ମଚାରୀମାନଙ୍କୁ ଏହି ଉପକରଣ ଦେବା ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଗତ ଡିସେମ୍ବର ମାସରେ ଟେଣ୍ଡର ପ୍ରକ୍ରିୟା ଅନୁସାରେ ଏହି ଉପକରଣ କିଣିବାକୁ ସ୍ଥିର ହୋଇଥିଲା । ଯୋଗ୍ୟ ସଂସ୍ଥା ପାଖରୁ ଏହା କ୍ରୟ କରାଯାଇଛି । ଏଥିପାଇଁ ପ୍ରଶିକ୍ଷର ଆୟୋଜନ କରାଯାଇ ଏଥିରେ ସାନିଟାରୀ ଇନ୍ସିପେକ୍ଟର, ସାନିଟେସନ ଏକ୍ସପର୍ଟ ଏବଂ ସୁପରଭାଇଜରଙ୍କୁ ୱାକିଟକିର ବିଭିନ୍ନ ଉପଯୋଗ ବାବଦରେ କୁହାଯାଇଥିଲା ।