ଭୁବନେଶ୍ବର: ଲୋକସେବା ଭବନରେ ଆଜି ଆୟୋଜିତ ହୋଇଛି ଓଡ଼ିଶା ରାଜ୍ୟସ୍ତରୀୟ ସାଗରମାଳା କମିଟିର ୨ୟ ବୈଠକ । ଓଡିଶାରେ ପ୍ରାୟ ୪୮୦ କିଲୋମିଟର ରହିଛି ସୁଦୀର୍ଘ ସମୁଦ୍ର ତଟ । ଏହା ମଧ୍ୟରେ ଗୋପାଳପୁର, ଧାମରା ଓ ପାରାଦ୍ବୀପରେ ବନ୍ଦର ରହିଛି । ସେସବୁ ସମେତ ଅନ୍ୟ ଯେଉଁଠାରେ ସୁଯୋଗ ରହିଛି, ସାଗରମାଳା ପ୍ରକଳ୍ପ ଆଧାରରେ ତାହାକୁ ଉନ୍ନତିକରଣ କରାଗଲେ ସମୁଦ୍ର ପଥରେ ଓଡିଶା ତଥା ଦେଶର ବାଣିଜ୍ୟିକ ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟିକ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।
ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି, "ସାଗରମାଳା ପ୍ରକଳ୍ପ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଭିନ୍ନ ରାଜ୍ୟରେ ରହିଥିବା ବନ୍ଦର ଗୁଡିକର ଆଧୁନିକୀକରଣ ଓ ଦକ୍ଷତା ବୃଦ୍ଧି ପାଇବ । ଏହା ସହିତ ବନ୍ଦର ବନ୍ଦର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି, ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାର ବନ୍ଦର ଅଞ୍ଚଳରେ ଲୋକମାନଙ୍କର ଗୋଷ୍ଠୀଗତ ବିକାଶ ସାଧନ ହୋଇପାରିବ । ସେହିଭଳି ବନ୍ଦରଭିତ୍ତିକ ଜାହାଜ ଚଳାଚଳ ଓ ଅନ୍ତର୍ଜାତୀୟ ଜଳପଥ ପରିବହନ ସୁଗମ ହୋଇପାରିବ । ସମୁଦ୍ର ତଟ ସୁରକ୍ଷା ମଧ୍ୟ ହୋଇପାରିବ ।" ସେହିଭଳି ପ୍ରକଳ୍ପରେ ଥିବା ୬ଟି ପ୍ରମୁଖ ଆଧାର ସଂପର୍କରେ ଏବଂ ରାଜ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢୀ ବିଶଦ ଭାବେ ଆଲୋକପାତ କରିଛନ୍ତି ।
ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପାଣ୍ଠି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ପ୍ରକଳ୍ପ ପାଇଁ ଭାରତ ସରକାର ୫୦ ପ୍ରତିଶତ ଅନୁଦାନ ଦେଉଥିବାବେଳେ ୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବ୍ୟବସ୍ଥା କରିବେ । ବିଭିନ୍ନ ପର୍ଯ୍ୟାୟରେ ବିନିଯୋଗ ପତ୍ର ପ୍ରଦାନ ଆଧାରରେ ଏହି ପାଣ୍ଠି ଉପଲବ୍ଧ ହେବ । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାର ଚାନ୍ଦିପୁରରେ ମାଛ ଧରିବା ପାଇଁ ବନ୍ଦର ନିର୍ମାଣ, ଭଦ୍ରକ ଜିଲ୍ଲାର କାଣିନାଳୀ ଓ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ଅଂଶରେ ଆରଓପାକ୍ସ ଜେଟି ନିର୍ମାଣ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡା ସଂଯୋଗ କରୁଥିବା ଅଂଶରେ ଆରଓପାକ୍ସ ଜେଟି, ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ନୌକା ଚଳାଚଳ ସେବା ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ । ସାଗରମାଳା ପ୍ରକଳ୍ପରେ ଏକାଧିକ ପ୍ରକଳ୍ପ ସାମିଲ ପାଇଁ ପ୍ରସ୍ତାବ ଦେବାକୁ ସୁଯୋଗ ରହିଛି । ଏନେଇ ଅଧିକ ପ୍ରସ୍ତାବ ଦେବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।