ଓଡିଶା

odisha

ETV Bharat / state

ମିଟିଂ ଓ ଇଟିଂରେ ସଡ଼କ ସୁରକ୍ଷା: ରାଜ୍ୟରେ 10 ବର୍ଷରେ ଯାଇଛି 45 ହଜାର ଜୀବନ, 70% ଯୁବପିଢି - state transport minister tukuni sahu

ଦ୍ରୁତଗତିରୁ ରାଜ୍ୟରେ ପ୍ରାୟ 70ପ୍ରତିଶତ ଦୁର୍ଘଟଣା ଘଟୁଛି । ଗତ ୧୦ ବର୍ଷରେ ପ୍ରାୟ ୪୫ ହଜାର ଜୀବନ ଗଲାଣି । ସଡକ ଦୁର୍ଘଟଣା ରୋକିବାରେ ଫେଲ ମାରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ
Road Safety Council meeting

By ETV Bharat Odisha Team

Published : Sep 1, 2023, 8:23 AM IST

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ରୋକିବାରେ ଓଡିଶା ସରକାର ଫେଲ ମାରିଛନ୍ତି । କେବଳ ମିଟିଂ ଓ ଇଟିଂରେ ଚାଲିଛି ରାଜ୍ୟର ସଡ଼କ ସୁରକ୍ଷା ବ୍ୟବସ୍ଥା । ସଡ଼କ ଦୁର୍ଘଟଣା ନେଇ ଶୀତତାପ ନିୟନ୍ତ୍ରଣ କୋଠରୀରେ ହେଉଥିବା ଯୋଜନା କେବଳ ଫାଇନ ଆଦାୟରେ ସୀମିତ । ଯାହାର ଫଳ ସ୍ୱରୂପ ରାଜ୍ୟରେ ଗତ ୧୦ ବର୍ଷରେ ପ୍ରାୟ ୪୫ ହଜାର ବ୍ୟକ୍ତିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଓଡିଶାରେ ୨୦୨୨ ମସିହାରେ ୫ ହଜାର ୪୬୭ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁକଙ୍କ ମଧ୍ୟରେ 70% ଯୁବପିଢି ରହିଛନ୍ତି । ରାଜ୍ୟରେ ପ୍ରତି 100ଟି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜାତୀୟ ସ୍ତରରେ ଏହା ୩୬ ରହିଛି ।

ଲୋକସେବା ଭବନରେ ସଡ଼କ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା । ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଭାରତରେ ବିଶ୍ୱର ସମସ୍ତ ଦେଶ ଅପେକ୍ଷା ସର୍ବାଧିକ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି । ଭାରତର ମୋଟର ଯାନ ସଂଖ୍ୟା ବିଶ୍ୱରେ ଚଳାଚଳ କରୁଥିବା ଯାନର ଶତକଡା ୧ ଭାଗ । ଶତକଡା ୧୧ ଭାଗ ସଡକ ଦୁର୍ଘଟଣା ମୃତ୍ୟୁ ଭାରତରେ ଘଟିଥାଏ । ଭାରତରେ ୨୦୨୨ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୧ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଦେଶରେ ପ୍ରତିଘଣ୍ଟାରେ ହାରାହାରି ୧୬ ଜଣ ପ୍ରାଣ ହରାଉଛନ୍ତି । ଗତ ୧୦ ବର୍ଷରେ ଓଡିଶାରେ ପ୍ରାୟ ୪୫ ହଜାର ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବ୍ୟକ୍ତିମାନଙ୍କ ମଧ୍ୟରେ ୭୦% ହେଉଛନ୍ତି ଯୁବପିଢି । ମୁଖ୍ୟ ଚିନ୍ତାର ବିଷୟ ଏହିକି ଯେ ରାଜ୍ୟରେ ପ୍ରତି 100ଟି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି । ଜାତୀୟ ସ୍ତରରେ ଏହା ୩୬ ଅଟେ । ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ରାଜ୍ୟରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ''

ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ୨୦୩୦ ମସିହା ସୁଦ୍ଧା ୫୦ ପ୍ରତିଶତ ଦୁର୍ଘଟଣା ମୃତ୍ୟୁ ହ୍ରାସ ପାଇଁ ଲକ୍ଷ୍ୟ ରଖିଛନ୍ତି । ଓଡିଶା ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛି । ଓଡିଶାରେ ୨୦୨୨ ମସିହାରେ ୫ ହଜାର ୪୬୭ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପାଖାପାଖି ୫ ହଜାର ଜଣ ଗୁରୁତର ଆହତ ହୋଇଛନ୍ତି । ୨୦୨୩ ମସିହା ଜାନୁୟାରୀ ଓ ଜୁନ ମାସରେ ଗତବର୍ଷ ତୁଳନାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୫% ବୃଦ୍ଧି ପାଇଛି । ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟାରେ ସଡକ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଇଛି । ସଡ଼କ ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ନାଁ'ରେ ନୂଆ ଯୋଜନା ଚାଲିଛି । ଯୋଜନାରେ ୧୪୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ।

ରାଜ୍ୟରେ ପ୍ରାୟ ୭୦% ଦୁର୍ଘଟଣା ଦ୍ରୁତଗତି ଯୋଗୁଁ ହେଉଛି । ସେହିପିର ନିଶାଶକ୍ତ ଗାଡି ଚାଳନା, ରାସ୍ତାର ବିପରୀତ ପାର୍ଶ୍ଵରେ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଛି । ୨୦୨୨ ମସିହାରେ ସମୁଦାୟ ୫୪୬୭ ଜଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁକଙ୍କ ମଧ୍ୟରୁ ୨୪୯୮ ଜଣ ମୋଟର ସାଇକେଲ ଚାଳକ ବା ସହଯାତ୍ରୀ ଅଟନ୍ତି । ଏହି ମୃତକଙ୍କ ମଧ୍ୟରୁ ୧୬୯୫ ଜଣ ହେଲମେଟ ପିନ୍ଧି ନଥିବା ଜଣାପଡିଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି,''ରାଜଧାନୀକୁ ଆସୁଥିବା ଅଟୋ ଡ୍ରାଇଭରମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧରେ ସଚେତନା କରାଇବା ଦରକାର । ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଆବଶ୍ୟକ । ରାସ୍ତା ପାଶ୍ୱର୍ସ୍ଥ ପିଏଚସି ଓ ସିଏଚସିରେ ଦୁର୍ଘଟଣାଗ୍ରସ୍ତଙ୍କୁ ଜରୁରୀ ଚିକିତ୍ସା ସମ୍ବନ୍ଧରେ ପ୍ରଶିକ୍ଷିତ କରାଇବା ଉଚିତ ।''

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି,''ସଡକ ଦୁର୍ଘଟଣା ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସର୍ବଦା ଚେଷ୍ଟିତ ଅଛନ୍ତି । ସଡକ ଦୁର୍ଘଟଣା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି । ଏମାନଙ୍କୁ ଫାଷ୍ଟ ରେସପଣ୍ଡର ତାଲିମ ଦିଆଯାଇଛି । ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ୧୮ ଟି ଲେଭେଲ-୧ ଟ୍ରମା ସେଣ୍ଟର ଥିବା ପ୍ରାଇଭେଟ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି ।''

ପ୍ରତି ଜିଲ୍ଲାରେ ଟ୍ରାଫିକ ଟ୍ରେନିଂ ପାର୍କ ସ୍ଥାପନ କରିବା, ସୁବାହକ ଯୋଜନାରେ ଏ ବର୍ଷ ୫୦ ହଜାର ଚାଳକଙ୍କୁ ରିଫ୍ରେସ ଟ୍ରେନିଂ ଥିବା ଓ ୫୦ ହଜାର ନୂଆ ଭାରି ଯାନ ଚାଳକ ସୃଷ୍ଟି କରିବା, ଟ୍ରକ ଟର୍ମିନାଲ ସ୍ଥାପନ ଓ ସିସିଟିଭ ପାଇଁ ବଜେଟରେ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ସହ ହାଇବେ ପେଟ୍ରୋଲ ବ୍ୟବସ୍ଥା ସଂପ୍ରସାରଣ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ସଡକ ଦୁର୍ଘଟଣା କମିଟି ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ପଦକ୍ଷେପ ଗୁଡିକୁ ନିୟମିତ ଭାବେ ତଦାରଖ କରୁଛନ୍ତି । ଏହି କମିଟିର ସେକ୍ରେଟେରୀ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ଗସ୍ତ କରିଥିଲେ । ରାଜ୍ୟ ତରଫରୁ ନିଆଯାଇଥିବା ସୋଲାସିୟମ ଫଣ୍ଡ ସ୍କିମର ସେ ଉଚ୍ଚ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ...ସିଏସଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ସ୍ୱତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ ଉପରେ ଗୁରୁତ୍ୱ

ପରିବହନ କମିଶନର ଅମିତାଭ ଠାକୁର ରାଜ୍ୟର ସଡ଼କ ସୁରକ୍ଷା ଓ ଦୁର୍ଘଟଣାର ବିଭିନ୍ନ ଦିଗ ସମ୍ବନ୍ଧରେ ଏକ ପାୱାର ପଏଣ୍ଟ ଉପସ୍ଥାପନ କରିଛନ୍ତି । ୨୦୨୩ ଜାନୁଆରୀରୁ ଜୁନ ମାସ ପର୍ଯ୍ୟନ୍ତ ରାଜ୍ୟରେ ୬,୨୭୨ଟି ସଡ଼କ ଦୁର୍ଘଟଣାରେ ୨,୯୯୧ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ୨୦୨୨ ଜାନୁଆରୀରୁ ଜୁନ ମାସ ପର୍ଯ୍ୟନ୍ତ ୬,୦୨୯ଟି ସଡ଼କ ଦୁର୍ଘଟଣାରେ ୨,୮୪୯ ଜଣ ପ୍ରାଣ ହରାଇଥିଲେ । ୨୦୨୩ ଜାନୁଆରୀରୁ ଜୁନ ମାସ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୯୭ଟି ସଡ଼କ ଦୁର୍ଘଟଣା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୪୫୩, କଟକ ଜିଲ୍ଲାରେ ୪୦୪, କେଉଁଝର ଜିଲ୍ଲାରେ ୪୦୩, ଗଞ୍ଜାମ ଜିଲ୍ଲାରେ ୩୮୬ଟି ଦୁର୍ଘଟଣା ହୋଇଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ପୋଲିସ ଡିଜି ସୁନୀଲ ବଂଶଲ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଧନେଶ୍ୱର ମଲ୍ଲିକ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details