ଓଡିଶା

odisha

ETV Bharat / state

ଫନି ପରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା - conducted

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ପ୍ରଳୟଙ୍କାରୀ ବାତ୍ୟା ଫନିର ପରବର୍ତୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

By

Published : May 8, 2019, 7:57 PM IST

ଭୁବନେଶ୍ବର: ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ପ୍ରଳୟଙ୍କାରୀ ବାତ୍ୟା ଫନିର ପରବର୍ତୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ସନ୍ତୋଷ ପ୍ରକଟ କରିଛନ୍ତି । ଏହା ସହିତ ପ୍ରଭାବିତ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ
ଅନୁଷ୍ଠାନ ଗୁଡିକରେ ସ୍ଥିତି ସ୍ୱାଭାବିକ ଲାଗି ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର


ଆଜି ସମୀକ୍ଷା ସମୟରେ ୫ଟି ସର୍ବାଧିକ କ୍ଷତିଗ୍ରସ୍ତ କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଉପରେ ବିଶେଷ ଆଲୋଚନା କରାଯାଇଛି । ଏହି ସବୁ ଜିଲ୍ଲାରେ ବର୍ତମାନ ସୁଦ୍ଧା ୭୦୩ଟି ମେଡିକାଲ ରିଲିଫ କେନ୍ଦ୍ର କାର୍ଯ୍ୟ କରୁଅଛି । ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ୧୯୪୫ ଜଣ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୭୧ ଜଣଙ୍କର ସୁରକ୍ଷିତ ପ୍ରସବ ହୋଇଛି । ୯୯୩୦ ଜଣ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୋଟ୍ ୧୦୩୧ ସରକାରୀ ଡାକ୍ତରଖାନା ମଧ୍ୟରୁ ୩୦୨ଟିର ପୁନରୁଦ୍ଧାର ହୋଇସାରିଛି । ଅନ୍ୟ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବା ଲାଗି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।


ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ମହଜୁଦ ରହିଛି । ଇତି ମଧ୍ୟରେ ଏହି ଜିଲ୍ଲା ଗୁଡିକୁ ୪୩ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ରୋଗ ସର୍ବେକ୍ଷଣ ନିମନ୍ତେ ପଠାଯାଇଛି । ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ସମେତ କଟକ, କେନ୍ଦ୍ରାପଡା, ଜଗତ୍ସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ନିରନ୍ତର ବିଦ୍ୟୁତ ବ୍ୟବସ୍ଥା ହୋଇଛି ।

ଏହାଛଡା ଜଗତ୍ସିଂହପୁର ଜିଲ୍ଲାକୁ ୧୦ଜଣ, କେନ୍ଦ୍ରାପଡାକୁ ୧୧ ଓ ପୁରୀକୁ ୨୬ ଜଣ ଡାକ୍ତରଙ୍କୁ ପଠାଯାଇଛି । ସେହିଭଳି
କଟକରେ ୩୯, ଜଗତ୍ସିଂହପୁରରେ ୩୭, କେନ୍ଦ୍ରାପଡାରେ ୨୩, ଖୋରଧାରେ ୪୧ ଓ ପୁରୀରେ ୫୯ଟି ମେଡିକାଲ ଟିମ୍
ମୁତୟନ ହୋଇଛନ୍ତି । ଜଳ ବିଶୋଧନ ଲାଗି ଖୋଲାରେ ଥିବା ପାନୀୟଜଳ ଉତ୍ସ ଗୁଡିକର ବିଶୋଧନ କାର୍ଯ୍ୟ ଆରମ୍ଭ
ହୋଇଛି । ଉପରୋକ୍ତ ୫ଟି ଜିଲ୍ଲାର ୧୨୩୧ଟି ଜଳଉତ୍ସକୁ ଆଜି ସୁଦ୍ଧା ବିଶୋଧନ କରାଯାଇଥିବା ପ୍ରକାଶ । ବାତ୍ୟା
ପରବର୍ତୀ ସ୍ୱାସ୍ଥ୍ୟ ସୂଚନାକୁ ବ୍ୟାପକ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀ, ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା ଓ ଲିଙ୍ଗରାଜ ମିଶ୍ର, ସ୍ୱତନ୍ତ୍ର ସଚିବ ଶରତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details