ଭୁବନେଶ୍ବର:୭୫ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନର ରୂପରଖେ ସମ୍ପର୍କରେ ଆଜି (ଶନିବାର) ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଦର୍ଶକ ଗ୍ୟାଲେରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।
ପ୍ରତିଟି ଭାରତୀୟଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ସାଧାରଣତନ୍ତ୍ର ଦିବସ । ଏହି ମହାନ ଦିବସ ସହ ସମସ୍ତଙ୍କ ଭାବାବେଗ ଜଡ଼ିତ ହୋଇ ରହିଛି । ତେଣୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ବ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ବ ଦେଇଛନ୍ତି । ଚଳିତ ବର୍ଷ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପ୍ୟାରେଡ ଓ ପତାକା ଉତ୍ତୋଳନ ସ୍ଥାନରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସାଧାରଣତନ୍ତ୍ର ଦିବସ ସମ୍ପର୍କିତ ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧାପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପବେଶନ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।
ଏହା ବି ପଢନ୍ତୁ- ଦିଲ୍ଲୀ ଗଲେ ଏନ୍ସିସି କ୍ୟାଡେଟ୍, ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଦେବେ ଯୋଗ