ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ରରେ ରେକର୍ଡ଼ ସଂଖ୍ୟକ ଶ୍ରଦ୍ଧାଳୁ, ଟପିଲା ୫ ଲକ୍ଷ

Record breaking crowd In Shree Mandir : ନୂଆବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ । ପୂର୍ବରୁ ପୁରୀକୁ ଲକ୍ଷେରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ ୩ରୁ ୪ଗୁଣ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 1, 2024, 10:59 PM IST

ଶ୍ରୀକ୍ଷେତ୍ରରେ ରେକର୍ଡ଼ ସଂଖ୍ୟକ ଶ୍ରଦ୍ଧାଳୁ
ଶ୍ରୀକ୍ଷେତ୍ରରେ ରେକର୍ଡ଼ ସଂଖ୍ୟକ ଶ୍ରଦ୍ଧାଳୁ

ଭୁବନେଶ୍ୱର:ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୪ ନୂଆବର୍ଷର ଆରମ୍ଭ କରିଛନ୍ତି । ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଛି । ମହାପ୍ରଭୁଙ୍କ ଆଶିଷ ଲାଭ ସହିତ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପକୁ ଦେଖିବା ଭକ୍ତଙ୍କ ଭିଡ଼ ଦେଖିବା ପାଇଁ ମିଳିଛି । ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ଗୋଟାଏରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୧୨ଟା ପୂର୍ବରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଶ୍ରୀକ୍ଷେତ୍ରରେ ରେକର୍ଡ଼ ସଂଖ୍ୟକ ଶ୍ରଦ୍ଧାଳୁ

ତେବେ ପ୍ରଶାସନ, ପୋଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନର ଦିବ୍ୟ ଅନୁଭବ ଲାଭ କରିଛନ୍ତି । ନୂଆବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ । ପୂର୍ବରୁ ନୂଆବର୍ଷରେ ପୁରୀକୁ ଲକ୍ଷେରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ ଏହା ୩ରୁ ୪ଗୁଣ ବୃଦ୍ଧି ପାଇ ୫ ଲକ୍ଷ ଅତିକ୍ରମ କରିଛି । ହେଲେ ଭକ୍ତମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ।ଏହା ସହ ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ମନ୍ଦିରରୁ ବାହାରକୁ ବାହାରିଛନ୍ତି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ସାଥୀରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ଏଥି ଯୋଗୁଁ ସେମାନେ ବିନା ବାଧାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅନୁରୂପ ଭାବରେ ସହଳ ନୀତିକାନ୍ତି ଓ ଧାର୍ଯ୍ୟ ସମୟ ପୂର୍ବରୁ ମହାପ୍ରସାଦ ଲାଗି ଯୋଗୁଁ ଭକ୍ତମାନେ ମଧ୍ୟ ଆନନ୍ଦିତ ହୋଇଛନ୍ତି ।



ଶୃଙ୍ଖଳିତ ଦର୍ଶନ ନିମନ୍ତେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଳ ସିଂ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ଦର୍ଶନ ନିମନ୍ତେ ରାଜ୍ୟ ସରକାର ଓ ପ୍ରଶାସନର କାର୍ଯ୍ୟକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । ଶ୍ରୀକ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏକ ଦିବ୍ୟ ଅନୁଭୂତି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଛନ୍ତି । ଏହା ଆସନ୍ତା ୧୭ ତାରିଖରେ ଉଦ୍‌‌ଘାଟନ ହେବ । ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିୟମିତ ଭାବରେ ଏହି ପ୍ରକଳ୍ପର ଅନୁଧ୍ୟାନ ସହ କାର୍ଯ୍ୟଗୁଡ଼ିକର ସମୀକ୍ଷା କରୁଛନ୍ତି ।

ଶ୍ରୀକ୍ଷେତ୍ରରେ ରେକର୍ଡ଼ ସଂଖ୍ୟକ ଶ୍ରଦ୍ଧାଳୁ

ଏହା ମଧ୍ୟ ପଢନ୍ତୁ......ନବବର୍ଷରୁ ଆରମ୍ଭ ହେଲା ରଥଯାତ୍ରା ପ୍ରକ୍ରିୟା, କାଠ ଚିହ୍ନଟ ପାଇଁ ନୟାଗଡ଼ ଗଲା ସ୍ଵତନ୍ତ୍ର ଟିମ୍



ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଓ ଏହାର ଚତୁଃର୍ପାର୍ଶ୍ବରେ ସୁବିଧା ସୁଯୋଗ କରାଯାଇଛି । ଏପରିକି ପରିକ୍ରମା ଅଞ୍ଚଳ ମଧ୍ୟରେ ଭକ୍ତଙ୍କ ବାଧାମୁକ୍ତ ବିଚରଣ, ଶ୍ରୀମନ୍ଦିରର ଚତୁଃପାର୍ଶ୍ବ ଦର୍ଶନ, ପରିକ୍ରମଣ ଏବଂ ବଡ଼ ଦେଉଳରେ ପ୍ରତିଦିନ ହେଉଥିବା ପତାକା ପରିବର୍ତ୍ତନର ଦୃଶ୍ୟ ଦର୍ଶନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ମେଘନାଦ ପାଚେରୀ ଚାରିପଟେ ଅଳ୍ପ ଦୂରତାରେ ଖଣ୍ଡେଲାଇଟ ପଥରେ ସ୍ୱଳ୍ପ ଉଚ୍ଚତାର ପଥର ବ୍ୟାରିକେଡ଼ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ସେହିପରି ସ୍ଥାନାନ୍ତରଣକ୍ଷମ ଗଛ ଚାରା ମନ୍ଦିର ଚାରିପଟେ ଘନ ସବୁଜ ଉଦ୍ୟାନର ଭ୍ରମ ସୃଷ୍ଟି କରିଛି । ପାଣ୍ଡିଆନ ନିୟମିତ ବ୍ୟବଧାନରେ ପୁରୀରେ ଏହି କାର୍ଯ୍ୟଗୁଡ଼ିକୁ ବ୍ୟକ୍ତିଗତ ଭାବରେ ଅନୁଧ୍ୟାନ କରି ଏହାର କାର୍ଯ୍ୟାନ୍ୱୟନ କରୁଛନ୍ତି । ଅନୁରୂପ ଭାବରେ ଜନସାଧାରଣ, ଛୋଟ ବ୍ୟବସାୟୀ, ସେବାୟତମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ପାଣ୍ଡିଆନ । ଯେଉଁଥିପାଇଁ ପୁରୀକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋଭନୀୟ ଶୋଭା ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି ।

ଇଟିଭି ଭାରତ ,ଭୁବନେଶ୍ୱର

ABOUT THE AUTHOR

...view details