ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ପୁରିଲା ୨୦୫ ବର୍ଷ । ଏବେ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧିନତା ସଂଗ୍ରାମ ମାନ୍ୟତା ମିଳିନଥିବାରୁ ଅସନ୍ତୋଷ । ଖୋର୍ଦ୍ଧା ବରୁଣେଇ ପୀଠରେ ପାଇକ ସ୍ମାରକୀ ପାଇଁ ରାଷ୍ଟ୍ରପତି ଶୁଭ ଦେବାର ୩ ବର୍ଷ ପରେ ମଧ୍ୟ ଆରମ୍ଭ ହେଲାନି କାର୍ଯ୍ୟ । ପ୍ରତିବାଦରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶୋଭାଯାତ୍ରା କରିଛି ପାଇକ ଆଖଡା ମହାସଂଘ ।
ପାଇକ ବିଦ୍ରୋହକୁ ମିଳିଲାନି ଦେଶର ପ୍ରଥମ ସ୍ଵାଧିନତା ସଂଗ୍ରାମ ମାନ୍ୟତା, ପ୍ରତିବାଦ କଲା ପାଇକ ଆଖଡା ମହାସଂଘ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧିନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଦୀର୍ଘ ଦିନରୁ ଦାବି ହେଉଛି । କିନ୍ତୁ ଏହି ଐତିହାସିକ ଆନ୍ଦୋଳନକୁ ୨୦୫ ବର୍ଷ ପୂର୍ଣ୍ଣ ହୋଇଥିଲେ ହେଁ, ଏପର୍ଯ୍ୟନ୍ତ ଏହାକୁ ସର୍ବପ୍ରଥମ ସ୍ବାଧିନତା ସଂଗ୍ରାମ ଭାବେ ଘୋଷଣା କରାଯାଇ ନାହିଁ । ସେହିଭଳି ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧାର ବରୁଣେଇ ପୀଠରେ ପାଇକ ସ୍ମାରକୀ ପାଇଁ ରାଷ୍ଟ୍ରପତି ଶୁଭ ଦେବାର ୩ ବର୍ଷ ବିତିଥିଲେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ତେବେ ଦେଶ ସ୍ବାଧିନତା ପାଇଁ ସଂଗଠିତ ହୋଇଥିବା ଏହି ଐତିହାସିକ ଆନ୍ଦୋଳନକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।
ଏହାର ପ୍ରତିବାଦରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରଣ ହୁଙ୍କାର ଦେଇଛି ଓଡିଶା ରାଜ୍ୟ ପାଇକ ଆଖଡା ମହାସଂଘ । ବୁଧବାର ଏନେଇ ଖୋର୍ଦ୍ଧାର ବରୁଣେଇ ପୀଠରୁ ପାଇକମାନେ ସଂଗଠନର ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାରେ ପ୍ରସ୍ତାବିତ ପାଇକ ସ୍ମାରକୀ ପୀଠରେ ପହଞ୍ଚିଥିଲେ । ଏଥିରେ ଜଟଣୀ ବିଧାୟକ ସୁର ରାଉତରାୟ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନଙ୍କ ସମେତ ବହୁ ପାଇକ ସଂଗଠନର ସଦସ୍ୟ ସାମିଲ ହୋଇଥିଲେ ।
ରାଜ୍ୟ ସରକାର ପାଇକ ସ୍ମାରକୀ ପାଇଁ ୧୦ ଏକର ଜାଗା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଇକ ସ୍ମାରକୀ ନିର୍ମାଣ ନହେବାକୁ ନେଇ ସଂଗଠନ କ୍ଷୋଭ ପ୍ରକାଶ କରିଥିଲା । ଏହାସହ ତୁରନ୍ତ କାର୍ଯ୍ୟ ଆରମ୍ଭ ନକଲେ ଦିଲ୍ଲୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ପାଇଁ ଘୋଷଣା କରିଛି ପାଇକ ଆଖଡ଼ା ସଙ୍ଘ । ସେହିପରି ଓଡିଶା ପାଇକ ରେଜିମେଣ୍ଟ (Regiment) ଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମର ମାନ୍ୟତା ପାଇଁ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ଦାବି କରିଛି ପାଇକ ସଂଗଠନ ।
ଇଟିଭି ଭାରତ, ଖୋର୍ଦ୍ଧା