ଭୁବନେଶ୍ବର:ବିପଦରେ ବଜ୍ରକାପ୍ତା ବଂଶ । ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା । ୫ ବର୍ଷ ତଳେ ଜଙ୍ଗଲ ବିଭାଗ ପାଖରେ ଖବର ନଥିଲା କେମିତି ଚାଲାଣ ହେଉଛି ବଜ୍ରକାପ୍ତା । ଓଡ଼ିଶା ବନ୍ୟ ପ୍ରାଣୀ ସମିତି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଯେତେବେଳେ ଏ ବାବଦରେ ତଦନ୍ତ କଲେ ସେତବେଳେ ଜଣାପଡିଲା ଓଡ଼ିଶାର ବଜ୍ରକାପ୍ତା ସୁରକ୍ଷିତ ନୁହଁନ୍ତି । ପୂର୍ବରୁ ବର୍ଷକୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର ରେକର୍ଡ ହେଉଥିଲା । ଏବେ ତାହା ବଢି ୧୫ରୁ ୨୦ ପର୍ଯ୍ୟନ୍ତ ହେଲାଣି । ତେଣୁ ଏଥରୁ ଜଣାପଡୁଛି ବଜ୍ରକାପ୍ତା ଚାଲାଣ ରାଜ୍ୟରେ ବୃଦ୍ଧି ଘଟିଛି ।
ତେବେ ସାମ୍ବାଦିକ ସମ୍ମିଳନୀରେ ମିଳିଥିବା ତଥ୍ୟ ଅନୁଯାୟୀ ଅଗଷ୍ଟ ୨୦୧୮ ମସିହାରୁ ଜାନୁଆରୀ ୨୦୨୩ ମସିହା ପର୍ଯ୍ୟନ୍ତ ଜୀବିତ ବଜ୍ରକାପ୍ତା ୪୯ଟି ଜବତ କରାଯାଇଛି । ଏହାସହ ୧୧୪ ଜଣ ଚୋରା ଚାଲାଣକାରୀ ଧରା ପଡ଼ିଛନ୍ତି । ଏଭଳି ଦୁଇଟି ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରାଯାଇନାହିଁ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଜ୍ରକାପ୍ତା ଚୋରା ଚାଲାଣରେ ସାମିଲ ଥିବା ଅଧିକାଂଶ ଲୋକମାନଙ୍କୁ ଏପର୍ଯ୍ୟନ୍ତ କୌଣସି ଦଣ୍ଡ ବିଧାନ କରାଯାଇ ନାହିଁ । ବିଦେଶକୁ ରାଜ୍ୟରୁ ଯେଉଁ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଛି । ସେଥିରେ ଅନେକ ଗୁଡ଼ିଏ କାରଣ ରହିଛି । ବିଦେଶରେ ବଜ୍ରକାପ୍ତାର କାତିରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ କରିବାର ମଧ୍ୟ ନଜୀର ରହିଛି । ଏହାସହ ଅଳଙ୍କାର, ମୁଦି ତିଆରି, ବଜ୍ରକାପ୍ତା ବ୍ରିଡ଼ିଂ ପାଇଁ ମଧ୍ୟ ବ୍ୟବହାର ହେଉଥିବା ଅନୁମାନ କରାଯାଉଛି ।