ଭୁବନେଶ୍ବର:ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଛନ୍ତି । ଆଜି କଟକରେ ଦିନ ତମାମ ମହାମହିମଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ଚଣ୍ଡୀ ମନ୍ଦିର ପରିଦର୍ଶନ କରିବେ । ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ । ମ୍ୟାଡମ ପ୍ରେସିଡେଣ୍ଟଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ପୁରା ସିଲଭର ସିଟି ।
ରାଷ୍ଟ୍ରପତି ମୁର୍ମୁ ଆଜି କଟକରେ ମଧୁବାବୁଙ୍କ ଘର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ, ନେତାଜୀ ସଂଗ୍ରହାଳୟ ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ପୁଣି ରାଜଭବନକୁ ଫେରି ରାତ୍ରିଯାପନ କରିବେ । ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି(ଗୁରୁବାର) ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଜିଟି) ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବେ ।
ଆସନ୍ତାକାଲି ରାଷ୍ଟ୍ରପତି ଭୁବନେଶ୍ବର ତମାଣ୍ଡୋର ଦଶବାଟିଆରେ ପ୍ରଜାପତି ବ୍ରହ୍ମକୁମାରୀ କେନ୍ଦ୍ରରେ ଡିଭାଇନ ଲାଇଟ୍ ହାଉସର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଅଛି । ଏହାପରେ ୩ ଦିନିଆ ଗସ୍ତ ସାରି ସନ୍ଧ୍ୟାରେ ପୁଣି ଦିଲ୍ଲୀ ଫେରିଯିବେ । ତେବେ ରାଷ୍ଟ୍ରପତି ହେବା ପରଠୁ ଦ୍ରୌପଦୀ ମୁର୍ମୁଙ୍କ ଏହା ଚତୁର୍ଥ ଓଡ଼ିଶା ଗସ୍ତ ।