ଭୁବନେଶ୍ବର: ଡିସେମ୍ବର ପହିଲାରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଏନେଇ କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ସରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ପୁରୀ ଜିଲ୍ଲାର ତମାମ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଶ୍ରୀମନ୍ଦିରକୁ ନେଇ ତେଜୁଛି ରାଜନୀତି । ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି, ଗଣତିକୁ ନେଇ କଂଗ୍ରେସ ଆସନ୍ତା ଡିସେମ୍ବର 1 ତାରିଖରେ ତୁଳସୀ ଯାତ୍ରା କରିବ । ଭୁବନେଶ୍ୱରରୁ ଶରଧା ବାଲି ପର୍ଯ୍ୟନ୍ତ ଯିବ କଂଗ୍ରେସ ।
ତେବେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆସନ୍ତା ଡିସେମ୍ବର ମାସ ୧ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀକୁ କରାଯିବ ତୁଳସୀ ଯାତ୍ରା । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ପୁରୀ ଜିଲ୍ଲାର ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ । ରାଜ୍ୟ ସରକାର ଆଜି ୩ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିରର ଚାରି ଦ୍ୱାରକୁ କିଛି ବନ୍ଦ କରି ରଖିଛନ୍ତି । ଏପରିକି ପବିତ୍ର କାର୍ତ୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସତ୍ତ୍ବେ ୪ ଦ୍ୱାର ଖୋଲୁନଥିବାରୁ ତେଜିଛି ଅସନ୍ତୋଷ । ପ୍ରତିଦିନ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ କଂଗ୍ରେସ ୬ଟି ଦାବି ସମ୍ବଳିତ ଦାବି ପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଛି ।
ସାରା ରାଜ୍ୟରୁ ପ୍ରତ୍ୟେକ ଗାଁ ଓ ପଞ୍ଚାୟତରୁ ଜଗନ୍ନାଥ ପ୍ରେମୀ, ଭକ୍ତ, କଂଗ୍ରେସ ନେତା, କଂଗ୍ରେସ କର୍ମୀ ବହୁ ସଂଖ୍ୟାରେ ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ୧ ତାରିଖ ଦିନ ସକାଳ ୯ ଟା ସୁଦ୍ଧା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୦ଟା ୧୫ ସୁଦ୍ଧା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଅଭିମୁଖେ ତୁଳସୀ ଯାତ୍ରା ଆରମ୍ଭ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଏହା ବି ପଢନ୍ତୁ...ଗର୍ଜିଲେ କଂଗ୍ରେସ ନେତା ଗଣେଶ୍ବର: କହିଲେ ରାଜ୍ୟ ସରକାର ଆଦିବାସୀ ସ୍ବାର୍ଥ ବିରୋଧୀ