ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ସରଗରମ ହେଲାଣି ରାଜ୍ୟ ରାଜନୀତି । ଜନମତକୁ ନିଜ ସପକ୍ଷରେ ନେବାକୁ ବିଭିନ୍ନ ପ୍ରକାର ରଣନୀତି ଆପଣାଇଛନ୍ତି ଶାସକ ଦଳଠାରୁ ବିରୋଧୀ ଦଳ ପର୍ଯ୍ୟନ୍ତ । ସାଧାରଣ ନିର୍ବାଚନ ପୂର୍ବରୁ କିଭଳି ଲୋକଙ୍କ ନିକଟତର ହୋଇପାରିବେ, ସେନେଇ ସ୍ବତନ୍ତ୍ର ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ସେପ୍ଟେମ୍ବର ୨୫ରୁ ରାଜ୍ୟରେ 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ' କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସଜବାଜ ହେଉଥିବାବେଳେ ଶାସକ ବିଜେଡି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ଆରମ୍ଭ କରିବ 'ଘର ଘର ଶଙ୍ଖ' କାର୍ଯ୍ୟକ୍ରମ । ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରୁଛି । ତେବେ ୩ ପ୍ରମୁଖ ଦଳ ଭିତରେ ନିର୍ବାଚନ ପୂର୍ବ ଲଢେଇ ପ୍ରସ୍ତୁତିକୁ ନେଇ ମତ ରଖିଛନ୍ତି ରାଜନୀତି ସମୀକ୍ଷକ ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଆଉ ଘରେ ଘରେ ଶଙ୍ଖ ବାଜିବ ନାହିଁ । ଯଦି ବାଜିବ ବି, ତାହେଲେ ଶୁଭିବ ନାହିଁ । ଓଡିଶା ଜନସାଧାରଣ ହାତକୁ ଧରି ଆଗକୁ ନେଇଯିବେ ବୋଲି ମନସ୍ଥ କରି ସାରିଲେଣି । ୨୪ ବର୍ଷ ହେବ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତାହା ଆଉ ହୋଇପାରିବ ନାହିଁ । ବର୍ତ୍ତମାନ ବିଜେପି ବଳରେ ବଳୀୟାନ ହୋଇଛି ବିଜେଡି । ରାଜ୍ୟର ସମସ୍ତ ପଞ୍ଚାୟତ ଗୁଡ଼ିକରେ କଂଗ୍ରେସ ନେତା ଓ କର୍ମୀ ପଦଯାତ୍ରା କରି ଜନସାଧାରଣଙ୍କୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଅବଗତ କରାଇବେ, ଲିଫ୍ଲେଟ ବାଣ୍ଟିବେ । କେନ୍ଦ୍ର ସରକାର ଯେଉଁଭଳି ବଡ଼ ବଡ଼ ସ୍ବପ୍ନ ଦେଖାଇ ନିରାଶ କଲେ, ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ଜଳସେଚନ, ବେରୋଜଗାରୀ, ଚାଷୀର ଆୟ, ମହାନଦୀ ଜଳ ପରିଚାଳନାରେ ବିଫଳ ହୋଇଛନ୍ତି । ତାକୁ ଲୋକଲୋଚନକୁ ଆଣିବ କଂଗ୍ରେସ ।" ସେହିଭଳି ନା ବିଜେଡି ନା ବିଜେପି, ଏବେ ଭୋଟର କଂଗ୍ରେସକୁ ବିଶ୍ବାସରେ ନେଇ କ୍ଷମତାକୁ ଆଣିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।