ଓଡିଶା

odisha

ETV Bharat / state

ସୌମ୍ୟଙ୍କ ବିରୋଧରେ ବଡ଼ ଆକ୍ସନ ନେବାକୁ ବଳ ଗୋଟାଇପାରୁନି ବିଜେଡି ? - ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ସୌମ୍ୟ ଓ ବିଜେଡି ମଧ୍ୟରେ ଦୀର୍ଘଦିନର ରାଜନୈତିକ ଯୁଦ୍ଧ ପରେ ଆକ୍ସନ ମୋଡ୍‌କୁ ଆସିଛି ବିଜେଡି । ହେଲେ କେବଳ ଦଳୀୟ ଉପସଭାପତି ପଦରୁ ସୌମ୍ୟଙ୍କୁ ବିଦା କରିଛି ବିଜେଡି । ତେବେ ବଡ଼ ଆକ୍ସନ ପାଇଁ ବିଜେଡି ବଳ ଗୋଟାଇପାରୁନି ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି । ଅଧିକ ପଢ଼ନ୍ତୁ

ସୌମ୍ୟଙ୍କ ବିରୋଧରେ ବଡ଼ ଆକ୍ସନ ନେବାକୁ ବଳ ଗୋଟାଇପାରୁନି ବିଜେଡି ?
ସୌମ୍ୟଙ୍କ ବିରୋଧରେ ବଡ଼ ଆକ୍ସନ ନେବାକୁ ବଳ ଗୋଟାଇପାରୁନି ବିଜେଡି ?

By ETV Bharat Odisha Team

Published : Sep 12, 2023, 8:06 PM IST

ସୌମ୍ୟଙ୍କ ବିରୋଧରେ ବଡ଼ ଆକ୍ସନ ନେବାକୁ ବଳ ଗୋଟାଇପାରୁନି ବିଜେଡି ?

ଭୁବନେଶ୍ବର:ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜନୀତି ବୟାନବାଜି ଜାରି ରହିଛି । ଏହାରି ଭିତରେ ବଡ଼ ପ୍ରଶ୍ନଟି ହେଲା ଯଦି ସୌମ୍ୟଙ୍କ ଲେଖା ବିଜେଡି ଦଳକୁ ଏତେ ବାଧିଛି, ତେବେ ତାଙ୍କ ବିରୋଧରେ ଆକ୍ସନ ନେବାରେ ବିଲମ୍ବ କାହିଁକି କଲା ବିଜେଡି । ମଙ୍ଗଳବାର ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ଜାରି ହୋଇଛି ନିର୍ଦ୍ଦେଶନାମା । କିନ୍ତୁ ଦଳରୁ ବହିଷ୍କାର କରିବାକୁ ବଳ ଯୋଗାଡ଼ କରିପାରିନି ବିଜେଡି । ତେବେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ଓ ଅମର ଶତପଥୀଙ୍କ ଭଳି ଯେଉଁ ବିଜେଡି ନେତାମାନେ ଗଣମାଧ୍ୟମକୁ ଆସି ସୌମ୍ୟଙ୍କୁ ଏନକାଉଣ୍ଟର କଲେ, ବ୍ଲାକମେଲର ବୋଲି ଆଖ୍ୟା ଦେଲେ, ଦଳରୁ ଇସ୍ତଫା ଦେବାପାଇଁ ମଧ୍ୟ ପରାମର୍ଶ ଦେଲେ । ହେଲେ ସେମାନେ ସୌମ୍ୟଙ୍କ ବିରୋଧରେ ବଡ଼ ଆକ୍ସନ ନେବାପାଇଁ ଦଳର ସୁପ୍ରିମୋଙ୍କୁ ବୁଝାଇ ପାରୁନାହାନ୍ତି କାହିଁକି ? କାହିଁକି ସୌମ୍ୟ ବିରୋଧରେ ଦଳ ବଡ ଆକ୍ସନ ନେଇପାରୁନାହିଁ ? ଏବେ ଏହି ପ୍ରଶ୍ନର ଉତ୍ତର ଖୋଜା ପଡିଛି ।

'ବିଜେଡି ଆଉ ଆଗଭଳି ସ୍ଥିତିରେ ନାହିଁ': ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ବିଜେଡି ନେତାମାନେ ଆକ୍ସନ ନେବାରେ ଏବେ ଦୁର୍ବଳ ହୋଇଗେଲଣି । ବିଜେଡି ଆଉ ଆଗ ଭଳି ସ୍ଥିତିରେ ନାହିଁ । ସୌମ୍ୟଙ୍କ ବିରୋଧରେ ଆକ୍ସନ ନେବା ପାଇଁ ବଳ ଏକାଠି କରୁଛି ଦଳ । କିନ୍ତୁ ଏହା ସମ୍ଭବ ହୋଇପାରୁନି । ଯାହା ଫଳରେ ସୌମ୍ୟଙ୍କ ବିରୋଧରେ ଆକ୍ସନ ନେବାକୁ ବିଜେଡି ପାଇଁ ବିଳମ୍ବ ହେଉଛି । ଦଳ ବୟାନବାଜି ମାଧ୍ୟମରେ ସୌମ୍ୟଙ୍କୁ ଭିଲିଆନ ସଜେଇବାକୁ ଚେଷ୍ଟା କରୁଛି । ଏକ ସୌମ୍ୟ ବିରୋଧୀ ମନୋଭାବ ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି ରଖିଛି ବିଜେଡି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ, କଟାକ୍ଷ କଲେ ବବି ଦାସ

'ବିବାଦ ଲମ୍ବିଲେ ବିଜେଡିର କ୍ଷତି ହେବ': ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଯେଉଁ ନେତାମାନେ ଗଣମାଧ୍ୟମରେ ଆସି ସୌମ୍ୟଙ୍କ ସମ୍ପାଦକୀୟକୁ ନେଇ ବୟାନବାଜି କରୁଛନ୍ତି ସେମାନେ ଆଗକୁ ଆସନ୍ତୁ । ଦଳୀୟ ସୁପ୍ରିମୋଙ୍କୁ ଆକ୍ସନ ନେବା ପାଇଁ ବୁଝାନ୍ତୁ । ଆକ୍ସନ ନେବାରେ ଏତେ ବିଳମ୍ବ କାହିଁକି ହେଉଛି ବୁଝାପଡୁନି । ଯଦି ସୌମ୍ୟ ବାବୁ ଏମିତି କିଛି କଥା କହିଛନ୍ତି ବା ଲେଖିଛନ୍ତି, ଯାହା ଦଳୀୟ ସୁପ୍ରିମୋ ତଥା ଦଳୀୟ ନେତାଙ୍କୁ ବ୍ୟଥିତ କରିଛି, ତେବେ ତାଙ୍କ ବିରୋଧରେ ଦଳଗତ ଭାବେ ବଡ଼ ଆକ୍ସନ ନେବାରେ ଅସୁବିଧା କେଉଁଠି ରହିଲା ? ଯଦି ଆକ୍ସନ ନନେଇ ପାରିବେ, ତେବେ ତାଙ୍କୁ କୈଫିୟତ ତଲବ କରନ୍ତୁ । ଏହା ମଧ୍ୟ କରୁନାହାନ୍ତି । ଏପରି ବିବାଦ ଲମ୍ବିବା ଦ୍ବାରା ଆଗକୁ ବିଜେଡିକୁ ହିଁ କ୍ଷତି ହେବ । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ଯଦି ଦଳରୁ ବହିଷ୍କାର କରିଦିଆଯାଉଛି ସୌମ୍ୟ ବାବୁ ମୁକ୍ତ ହୋଇଯିବେ । ବିଜେଡି ନିୟନ୍ତ୍ରଣରେ ଆଉ କିଛି ରହିବ ନାହିଁ ।" ସେଥିପାଇଁ ଦଳ ଆକ୍ସନ ମୋଡକୁ ଆସୁନଥିବା ରବି ଦାସ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜନୀତି ଗୋଟିଏ ଦିନ ବା ନିଷ୍ପତ୍ତିରେ ସରେନାହିଁ: ସୌମ୍ୟ

ବର୍ଷିଲେ ବିରୋଧୀ: ସେପଟେ ଏହି ବିବାଦ ଆରମ୍ଭରୁ ସୌମ୍ୟଙ୍କ ସମର୍ଥନରେ ବାହାରିଥିବା କଂଗ୍ରେସ ଓ ବିଜେପି ଏହାକୁ ନାପସନ୍ଦ କରିଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ଯଦି ଏତେଦିନ ପରେ ତାଙ୍କୁ ଉପସଭାପତି ପଦରୁ ବରଖାସ୍ତ କରାଯାଇଛି, ତେବେ ନିଶ୍ଚିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗକୁ ତାଙ୍କ ଖବରକାଗଜ ଓ ଟିଭି ଚ୍ୟାନେଲ ଉପରେ ମଧ୍ୟ ଆକ୍ସନ ନିଆଯାଇପାରେ ।" ଆଗକୁ ବଡ଼ ଆକ୍ସନ ହୋଇପାରେ ବୋଲି ସେ ଅନୁମାନ କରିଛନ୍ତି ।

ସେପଟେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, "ବିଜେଡି ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । କୌଣସି କଥା କହିବା ପାଇଁ ଦଳର କାର୍ଯ୍ୟକର୍ତ୍ତାମାନଙ୍କର ସାହସ ନାହିଁ । ସେମାନଙ୍କର ସ୍ଵାଧୀନତା ନାହିଁ । ଓଡ଼ିଶାର ଜନସାଧାରଣ ଏକ ରାଜନୈତିକ ଦଳକୁ ଭୋଟ ଦେଇଛନ୍ତି । ହେଲେ ସେମାନେ ଏବେ ଅଜ୍ଞାତବାସରେ ରହି ଜଣେ ସଚିବଙ୍କୁ ଲିଜ୍ ଆକାରରେ ଶାସନ ବ୍ୟବସ୍ଥାକୁ ଦେଇଛନ୍ତି । ସୌମ୍ୟ ପଟ୍ଟନାୟକ ୪୦ ବର୍ଷ ଧରି ଗଣମାଧ୍ୟମ ସହିତ ସମ୍ପୃକ୍ତ ଅଛନ୍ତି । ତେଣୁ ଏ କଥାକୁ ସୌମ୍ୟ ବାବୁ ସମ୍ପାଦକୀୟରେ ଉଲ୍ଲେଖ କରିଥିଲେ । ରାଜ୍ୟବାସୀଙ୍କ ମନକଥା ଲେଖିଥିଲେ । ସେଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।"

ସେ ଯାହା ବି ହେଉ, ନିଜ ସମ୍ପାଦକୀୟରେ 5T ସଚିବଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରି ଗଣମାଧ୍ୟମର ଶିରୋନାମାରେ ରହିଛନ୍ତି ସୌମ୍ୟ । ବିରୋଧୀ କଂଗ୍ରେସ ଏବଂ ବିଜେପି ଆରମ୍ଭରୁ ସୌମ୍ୟଙ୍କ ସମର୍ଥନରେ ରହିଛନ୍ତି । ତେଣୁ କାଳେ ସୌମ୍ୟ ସିମ୍ପାଥି ଗୋଟାଇ ନେବେ, ସେହି ଭୟରେ ବିଜେଡି ବଡ଼ ଆକ୍ସନ ନେଉନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବିଜେଡି, ପାଣ୍ଡିଆନ ଓ ସୌମ୍ୟଙ୍କ ମଧ୍ୟରେ ଚାଲିଥିବା ଏହି ରାଜନୈତିକ ଯୁଦ୍ଧର ଶେଷ ପରିଣତି କଣ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିବ । କେବଳ ବିଜେଡି ଉପସଭାପତି ପଦରୁ ହଟାଇ କାମ ସାରି ଦେଉଛନ୍ତି, ନା ଆଗକୁ ଏହାଠୁ ବଡ଼ ଆକ୍ସନ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details