ଭୁବନେଶ୍ବର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଚଳିତ ମାସ 24 ତାରିଖରେ ତାଙ୍କର ଓଡ଼ିଶା ଗସ୍ତ ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କିଛି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଆଜି(ମଙ୍ଗଳବାର) ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ରାଜ୍ୟ ବିଜେପିକୁ ଆହୁରି ବଳ ଦେବ ବୋଲି କୁହାଯାଉଛି । ତାଙ୍କର ଓଡ଼ିଶା ଗସ୍ତ ସୂଚନା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, "ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିପାରନ୍ତି । ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ମୋଦିଙ୍କ ପରେ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ସେମାନେ ପଶ୍ଚିମ ଓଡ଼ିଶାର କିଛି ସରକାରୀ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି ।" ସେ ଆହୁରିମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଦଳକୁ ଆହୁରି ସୁଦୃଢ କରି ସରକାର ଗଠନ କରିବା ଆମର ମୁଖ୍ୟ ଫୋକସ ଅଟେ ।
ଏହାମଧ୍ୟ ପଢନ୍ତୁ: ବିକଶିତ ଭାରତ@୨୦୪୭: ଯୁବବର୍ଗଙ୍କ ସ୍ବର କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ