ଭୁବନେଶ୍ବର: ବିଶ୍ବବିନ୍ଧାଣୀଙ୍କ ପୂଜାରେ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ । ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୌଳିକ ବୃତ୍ତି ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ଏହି ବିଶ୍ୱକର୍ମା ଯୋଜନା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ଏହାକୁ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଆଜିଠାରୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା । ନୂଆଦିଲ୍ଲୀ ସ୍ଥିତ ଦ୍ୱାରକାରେ ଥିବା ଯଶୋଭୂମିରୁ ନିଜ ଜନ୍ମଦିନ ତଥା ବିଶ୍ଵକର୍ମା ପୂଜା ଅବସରରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଏହି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡିଶାର 3ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଭୁବନେଶ୍ୱରରେ ରେଳ ଅଡିଟୋରିୟମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁରରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ୍ ବର୍ଲା ଓ ପୁରୀରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡ.ମୁଞ୍ଜାପରା ମହେନ୍ଦ୍ର ଭାଇ କାଲୁଭାଇ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ ଅଶ୍ବୀନି ବୈଷ୍ଣବ କହିଛନ୍ତି, "ଓଡ଼ିଶାରେ ୧ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ଉପକୃତ ହେବେ ବୋଲି ଆକଳନ କରାଯାଇଛି । କାରୀଗରଙ୍କୁ ଜିଲ୍ଲା ସ୍ତରରେ ଚିହ୍ନଟ କରିବା ପାଇଁ କମିଟି ରହିବ । ପିଏମ୍ ବିଶ୍ଵକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତି ଆଧାର କରି ଜୀବନଯାପନ କରୁଥିବା ଲୋକଙ୍କୁ ସାମିଲ କରାଯିବ । ବଢ଼େଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା ଏବଂ କତା କାରିଗର, ଧୋବା, ମାଛ ଜାଲ ନିର୍ମାତା ଭଳି ୧୮ଟି ବର୍ଗଙ୍କୁ ସାମିଲ କରାଯିବ । କାରିଗରଙ୍କୁ ପରିଚୟ ପତ୍ର ଏବଂ ସାର୍ଟିଫିକେଟ୍ ଦିଆଯାଇଛି । ସେମାନଙ୍କ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ବିହୀନ ଋଣ, ସାଜ ସରଞ୍ଜାମ ପାଇଁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଦକ୍ଷତା ପ୍ରଶିକ୍ଷଣ ଦିଆଯିବ । ଏହି ସମୟରେ ଦୈନିକ ୫୦୦ ଟଙ୍କାର ଷ୍ଟାଇପେଣ୍ଡ, ବିପନ୍ନ ସହାୟତା ଯୋଗାଇ ଦିଆଯିବ । ଏଥିଲାଗି ଦେଶରେ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୧୩ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି । ଏହାଦ୍ୱାରା ୫ ବର୍ଷରେ ୩୦ ଲକ୍ଷ ପାରମ୍ପରିକ କାରିଗର ଏବଂ ଶିଳ୍ପୀକାର ମାନେ ଉପକୃତ ହେବେ ।"
ଏହା ମଧ୍ୟ ପଢନ୍ତୁ.."ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା" ଯୋଜନା, ହିତାଧିକାରୀଙ୍କୁ ପଞ୍ଜିକୃତ କରାଇଲେ କେନ୍ଦ୍ରାପଡ଼ା ବିଜେପି କର୍ମୀ