ଭୁବନେଶ୍ବର:୨୦୨୩ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ କରିବା ପାଇଁ ପୁଣି ସୁଯୋଗ ମିଳିଛି । ପୂର୍ବରୁ ଦୁଇଥର ଫର୍ମ ପୂରଣ ହୋଇଥିଲା । କିନ୍ତୁ ବହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଫର୍ମ ପୂରଣ ଅବଧି ବଢ଼ାଇବାକୁ ଅନୁରୋଧ କରିବା ପରେ ତୃତୀୟ ଥର ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ତେବେ ଆସନ୍ତା ୧୨ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ କରେସପଣ୍ଡେନ୍ସ କୋର୍ସର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ନିମନ୍ତେ ୪୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ୨୧ ରୁ ୨୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଆବଶ୍ୟକୀୟ ତଥ୍ୟ ଦାଖଲ କରିବେ। ଫର୍ମ ପୂରଣ ପାଇଁ ଏହା ଶେଷ ସୁଯୋଗ ବୋଲି କୁହାଯାଇଛି । ଆଗକୁ ଆଉ ଫର୍ମପୂରଣ ଅବଧି ବୃଦ୍ଧି କରାଯିବ ନାହିଁ । ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।