ଭୁବନେଶ୍ବର: ସରିଲା ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ନିୟୋଜିତ ହେବେ ୧୫ ହଜାର ମୂଲ୍ୟାଙ୍କନକାରୀ । ଉଭୟ ଅନଲାଇନ ଓ ଆଫଲାଇନରେ ହେବ ଖାତା ଦେଖା । ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ ୨୨ ଏବଂ ଅନଲାଇନ୍ ଖାତା ଦେଖା ଏପ୍ରିଲ ୨୩ରେ ଶେଷ ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ୍ ଖାତା ଦେଖା ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ ୪ ତାରିଖ ଏବଂ ଅନଲାଇନ୍ ଖାତା ଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚଳିତବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଛି । ଏଥିରେ ୩୯ଟି ଅନଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହେବ । ୨ଟି ପର୍ଯ୍ୟାୟରେ ଖାତା ଦେଖା ଶେଷ ହେବାପରେ ମେ ମାସ ଶେଷ ଓ ଜୁନ ମାସ ଆରମ୍ଭରୁ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଅଫଲାଇନ୍ କେନ୍ଦ୍ରଗୁଡ଼ିକରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖାତାଦେଖା ହେବ । ମାତ୍ର ଅନଲାଇନ୍ ଖାତାଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ । ଅଫଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତର ଖାତା ମୂଲ୍ୟାଙ୍କନ ଶେଷ ହେବାପରେ ୨ ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ବାରା ଯାଞ୍ଚ କରାଯିବ । ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ, ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ହୋଇଛି । ଅନଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବ । ଏହା ପରେ ୨ ଥର ପାଇଁ ମୂଲ୍ୟାଙ୍କନ କରାଯିବ ।