ଭୁବନେଶ୍ବର: ଝାରସୁଗୁଡ଼ା ବ୍ୟାଟେଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶାସକ ଦଳ ପକ୍ଷରୁ ୫୦ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଜିତିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଏନେଇ ଜୋରଦାର ରଣନୀତି କରୁଛି ବିଜେଡି । ପ୍ରଥମେ ପ୍ରାର୍ଥୀ ଘୋଷଣା କରିବା ଭଳି ପ୍ରଥମେ ପ୍ରଚାର ମଧ୍ୟ ଆରମ୍ଭ କରିଛି ଶାସକ ଦଳ । ପ୍ରତିଟି ୱାର୍ଡରେ ବିଜେଡି ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଝାରସୁଗୁଡ଼ାରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିବାକୁ ନେଇ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି ବୋଲି ବିଜେଡି କହିଛି । ତେବେ କଂଗ୍ରେସ ମଧ୍ୟ ବିଶେଷ ପଛରେ ପଡ଼ିନାହିଁ । ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ଉପନିର୍ବାଚନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ରେସରେ ଆଗରେ ରହିଛି ଶାସକ ବିଜେଡି । ପ୍ରଥମେ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଥମେ ପ୍ରଚାର ମଧ୍ୟ ଆରମ୍ଭ କରିଛି ଶାସକ ଦଳ । ସେପଟେ ବିଜେପି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଛି । କାରଣ ପ୍ରାର୍ଥୀଙ୍କୁ ନେଇ ଦ୍ଵନ୍ଦ୍ବରେ ରହିଛି ଦଳ । ଯୁବନେତା ଟଙ୍କଧର ତ୍ରିପାଠୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଯେହେତୁ ସେ ଝାରସୁଗୁଡ଼ା ମୂଳ ବାସିନ୍ଦା ନୁହନ୍ତି, ତାଙ୍କୁ ନେଇ ଦଳ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବା କୁହାଯାଉଛି । ସେପଟେ କଂଗ୍ରେସ ମଧ୍ୟ ଏଥର ଆଗୁଆ ଅଣ୍ଟା ଭିଡ଼ିଛି ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ପାର ହେବାପାଇଁ । ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଆମ ପ୍ରାର୍ଥୀ ସ୍ଥାନୀୟ ଝାରସୁଗୁଡ଼ାର । ପୁଣି ଏକ ରାଜନୈତିକ ପରିବାରର । ଝାରସୁଗୁଡ଼ା ରାଜନୈତିକ ଦୃଶ୍ୟପଟରେ ତାଙ୍କର ଦୀର୍ଘବର୍ଷର ସମ୍ପର୍କ ରହିଛି । ତରୁଣ ପାଣ୍ଡେ ଜଣେ ଉଦୀୟମାନ ଯୁବନେତା । ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିଜ ଆୟତରେ ରଖିବାରେ ବିଫଳ ହୋଇଛନ୍ତି । ଯାହା ଟପ୍ ଲିଡର ନବ ଦାସଙ୍କ ହତ୍ୟାକାଣ୍ଡରୁ ସ୍ପଷ୍ଟ ହେଲା । ୩ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ । ଝାରସୁଗୁଡ଼ାରେ ବେକାରୀ ସଂଖ୍ୟା ମାତ୍ରାଧିକ । ଦରଦାମ କଥା ନକହିଲେ ଭଲ । ଖାଲି ରାଜ୍ୟ ସରକାର ନୁହେଁ, କେନ୍ଦ୍ର ସରକାରଙ୍କ କଥା ସମସ୍ତେ ଜାଣିଲେଣି । ଗଣତନ୍ତ୍ର ଏବେ ବିପଦରେ । ଏହିସବୁ ଦିଗକୁ ଦେଖିଲେ ଜଣାପଡୁଛି, ଲୋକେ ଏଥର କଂଗ୍ରେସକୁ ଜିତାଇବେ । କଂଗ୍ରେସ କ୍ଷମତାକୁ ଆସିବ ।" ୨୦୨୪ ସାଧାରଣ ନିର୍ବାଚନରେ କେବଳ କଂଗ୍ରେସ ସାରା ଦେଶରେ ବିକଳ୍ପ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।