ଭୁବନେଶ୍ବର: ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ନାରା ଦେଇ ଭାରତ ବୁଲିବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଭାରତ ଯୋଡୋ ଯାତ୍ରାର ସଫଳତା ପରେ ପୁଣିଥରେ ଭାରତ ଭ୍ରମଣ କରିବେ କଂଗ୍ରେସର ଏହି ସର୍ବମାନ୍ୟ ନେତା । 14 ରାଜ୍ୟରେ ପ୍ରାୟ 6 ହଜାରରୁ ଅଧିକ କିଲୋମିଟର ପଦଯାତ୍ରା କରିବା ପାଇଁ ହୋଇଛି ଯୋଜନା । ଏହି ଯାତ୍ରାରେ ଓଡିଶା ମଧ୍ୟ ଆସିବେ ରାହୁଲ ଗାନ୍ଧୀ । ବରଗଡ଼ ଜିଲ୍ଲାରେ ରାହୁଲଙ୍କ ଯାତ୍ରା ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି । ତେବେ ଓଡ଼ିଶାରେ ପ୍ରାୟ ୧୦ଟି ଜିଲ୍ଲାରେ ସଭା ସମିତି କରି ରାହୁଲ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ବାର୍ତ୍ତା ଦେବାକୁ ପ୍ରସ୍ତାବ ଦେବେ ପିସିସି ସଭାପତି ଶରତ ପଟ୍ଟନାୟକ ।
ଭାରତ ନ୍ୟାୟ ଯାତ୍ରା ସହ ରାଜ୍ୟରେ ଏକାଧିକ ସାଧାରଣ ସମାବେଶରେ ମଧ୍ୟ ରାହୁଲ ସାମିଲ ହେବାକୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା କାଲି ଦିଲ୍ଲୀରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ଜିଲ୍ଲା ଗୁଡିକରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ପରିକ୍ରମା କରିବାକୁ ପ୍ରସ୍ତାବ ଦେବେ ବୋଲି ଶରତ କହିଛନ୍ତି । ସେ କହିଛନ୍ତି, "ଭାରତ ନ୍ୟାୟ ଯାତ୍ରା କରିବେ ଆମ ପ୍ରିୟ ନେତା ରାହୁଲ ଗାନ୍ଧୀ । 14ଟି ରାଜ୍ୟରେ ପ୍ରାୟ 6 ହଜାରରୁ ଊର୍ଦ୍ଧ୍ବ କିମି ବୁଲିବେ । ସମ୍ବିଧାନକୁ ସୁରକ୍ଷିତ ରଖିବା ରାହୁଲଙ୍କ ମୂଖ୍ୟ ବାର୍ତ୍ତା ରହିବ । ଅନେକ ରାଜ୍ୟରେ ମୋଦି ସରକାର ଏକଛତ୍ରବାଦ ନୀତି ଆପଣେଇଛନ୍ତି । ତେଣୁ ତାକୁ କାଉଣ୍ଟର କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ନ୍ୟାୟ ଯାତ୍ରା କରିବେ । ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତାବିତ ଜିଲ୍ଲା ଗୁଡିକ ପ୍ଲାନ କରାଯାଇଛି ।"