ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ; ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ପାଇଁ ଡାକ୍ତରଙ୍କୁ ଆକ୍ରମଣ, ହସ୍ପିଟାଲରେ ଭଙ୍ଗାରୁଜା ନିଆଳି: ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଅଠାନ୍ତରଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ଆକ୍ରମଣ କଲେ ଲୋକେ । ଏହାସହ ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ବୁଧବାର ରାତିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ଏକ ଘଣ୍ଟା କାଳ ମେଡିକାଲରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।
ବାଲିପାଟଣା ଅଞ୍ଚଳର ଜନୈକ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ଲାଗି ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ରୋଗୀଙ୍କ ସମ୍ପର୍କୀୟ ଏହି ତୁମୁଳକାଣ୍ଡ ଘଟାଇଛନ୍ତି । ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରି ମେଡିକାଲ ସାମଗ୍ରୀ ଭଙ୍ଗାରୁଜା କରିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ବାଲିପାଟଣା ଥାନା ତୁରିନ୍ତିରା ଅଞ୍ଚଳର ମହେନ୍ଦ୍ର ଜେନା ( ୫୨ )ଙ୍କ ଶ୍ବାସଜନିତ ସମସ୍ୟା ଥିବାରୁ ଗତକାଲି ମଧ୍ୟାହ୍ନରେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ।
ଏହା ବି ପଢନ୍ତୁ- ଡାକ୍ତରଙ୍କୁ ଆକ୍ରମଣ ଉପରେ ରୋକ ଲଗାଇବାକୁ ଡାକ୍ତରଙ୍କ ବିକ୍ଷୋଭ
ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ମଧ୍ୟାହ୍ନ ପ୍ରାୟ ୧ଟାରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ହେଲେ ସମ୍ପର୍କୀୟମାନେ କ୍ୟାପିଟାଲ ହସ୍ପିଟାଲ ନେଇନଥିଲେ । ରାତି ଡ୍ୟୁଟିରେ ଡାକ୍ତର ବି.ଏମ ଶଙ୍କର ପଣ୍ଡା ଯୋଗ ଦେଇଥିଲେ । ରୋଗୀଙ୍କ ସମର୍କୀୟ ଡାକ୍ତରଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ କହିଥିଲେ । ଡାକ୍ତର ପଣ୍ଡା ଦ୍ବିତୀୟ ଥର ପାଇଁ ପୁଣି ରାତି ୧୨.୧୦ରେ କ୍ୟାପିଟାଲ ହସ୍ପିଟାଲ ରେଫର କରିଥିଲେ । ଆମ୍ବୁଲାନ୍ସ ଡାକିବା ପାଇଁ ଡାକ୍ତରଙ୍କୁ କହିଥିଲେ । କଣ୍ଟ୍ରୋଲ୍ ରୁମ୍ ନମ୍ବରରେ ଯୋଗାଯୋଗ କରିବାକୁ ଡାକ୍ତର ପଣ୍ଡା ପରାମର୍ଶ ଦେଇଥିଲେ ଏବଂ ସହଯୋଗ କରି ଆମ୍ବୁଲାନ୍ସକୁ ସମସ୍ତ ସୂଚନା ମଧ୍ୟ ଦେଇଥିଲେ ।
ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ରୋଗୀଙ୍କ ସମ୍ପର୍କୀୟ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କ ଚାମ୍ବରରେ ପଶି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ହସ୍ପିଟାଲ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ଭଙ୍ଗାରୁଜା ସମୟରେ ଡାକ୍ତରଙ୍କ ଦେହରେ ଆଘାତ ଲାଗିଥିବା ଜଣାପଡିଛି । ଖବର ପାଇ ବାଲିପାଟଣା ପୋଲିସ ମେଡିକାଲରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏନେଇ ସାଧାରଣରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଆଜି ବାଲିପାଟଣା ଥାନାରେ ଲିଖିତ ଏତଲା ଦେଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଇଟିଭି ଭାରତ, ନିଆଳି