ଭୁବନେଶ୍ବର: ଆଗାମୀ ୨୦୩୬ ରେ ସ୍ବତନ୍ତ୍ର ରାଜ୍ୟ ଗଠନର ଶତାବ୍ଦୀ ପାଳନ କରିବ ଓଡିଶା । ତେଣୁ 2036 ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓ ସଶକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ପଡିବ । ସେହିପରି ୨୦୨୪ରେ ରହିଛି ସାଧାରଣ ନିର୍ବାଚନ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଜେଡି ଆରମ୍ଭ କରିଛି ବିଧିବଦ୍ଧ ଅଭିଯାନ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଶଙ୍ଖ ଭବନରେ ଆରମ୍ଭ ହୋଇଛି ମାଷ୍ଟର ଟ୍ରେନରମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ବରେ ଗଠିତ ହୋଇଥିବା କମିଟି ଏହି କାର୍ଯ୍ୟକ୍ରମର ପରିଚାଳନା କରିବ ।
ଆଜିଠାରୁ ୩୯ ଦିନ ପର୍ଯ୍ୟନ୍ତ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ ପର୍ବ ଚାଲିବ । ପ୍ରଥମ ଦିନରେ କଟକ ଚୌଦ୍ବାର, ଜଗତସିଂହପୁର, ହିଞ୍ଜିଲି, ଭଞ୍ଜନଗରରୁ ଆସିଥିବା କର୍ମୀଙ୍କୁ ତାଲିମ ଦିଆଯାଇଛି । ଦଳର ଶୀର୍ଷ ନେତୃତ୍ବ ସମେତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କ ମାର୍ଗଦର୍ଶନ ଦେଉଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁଲୋତା ଦେଓ, ମୁଖପାତ୍ର ଲେନିନ ମହାନ୍ତି, ଡ଼. ପ୍ରିୟବ୍ରତ ମାଝୀ, ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ପ୍ୟାନେଲିଷ୍ଟ ସ୍ବୟଂ ପ୍ରକାଶ ମହାପାତ୍ର ଆଜି ତାଲିମ ପ୍ରଦାନ କରିଛନ୍ତି ।
ଏହାବି ପଢନ୍ତୁ- କଂଗ୍ରେସକୁ ଶେଷ ଓ ବିଜେପିକୁ ମଜବୁତ କରିବାକୁ ଶରତ ଓ ସୌମ୍ୟ ତତ୍ପର: ବିଜେଡି