କୋକେନ ଭଳି କୋଡେନ୍ କଫ ସିରଫ୍, ବେଆଇନ ଚାଲାଣ ବେଳେ ଭୁବନେଶ୍ବରରୁ ଜବତ ଭୁବନେଶ୍ୱର:ନିଶା କାରବାରରେ ବେଆଇନ କଫ ସିରଫ । କମ୍ ଦାମରେ ଭୟଙ୍କର ନିଶାର ନୂଆ ଟ୍ରେଣ୍ଡ । ଆଇନଗତ ଔଷଧ ହୋଇଥିଲେ ହେଁ ବେଆଇନ ଭାବେ ବିକ୍ରି ହେଉଛି । ଏଭଳି କାରବାର ବେଳେ ଭୁବନେଶ୍ବରରୁ ଜବତ ହୋଇଛି ବିପୁଳ ପରିମାଣର କୋଡେନ କଫ ସିରଫ । କୋଲକାତାରୁ ବସ୍ ଯୋଗେ ଚାଲାଣ ବେଳେ ୨୦ ପେଟି ତଥା ୧୬୮୦ ବୋତଲ କଫ ସିରପ୍ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ଘଟଣାରେ ଦୁଇ ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି ।
ଭୁବନେଶ୍ୱର ଜୋନ ୫ ଏସିପି ଗୋତମ କିଶାନଙ୍କ ସୂଚନା ମୁତାବକ, କୋଲକାତାରୁ ଏକ ବସ୍ ଯୋଗେ କଫ ସିରପ୍ ଚାଲାଣ ହେଉଥିବା ଖବର ପାଇ ନୟାପଲ୍ଲୀ କସ୍ତୁରବା ବସଷ୍ଟପରୁ ବିପୁଳ ପରିମାଣର କଫ ସିରପ୍ ଜବତ କରାଯାଇଛି । ଏନେଇ କୌଣସି ଆଇନଗତ ଅନୁମତିପତ୍ର ନଥିବା ବେଳେ ଏନଡିପିଏସ ବା ନିଶା କାରବାର ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଦୁଇ ଜଣ ହେଲେ ଜଗତସିଂହପୁର ଏରସମାର ଜଗନ୍ନାଥ ଜେନା ଓ ଖୋର୍ଦ୍ଧା ଟିକାତାଲର ଅନିଲ କୁମାର ନାୟକ । ଉଭୟ ସାଲିଆ ସାହିରେ ରହି ଏପରି କାରବାରରେ ସମ୍ପୃକ୍ତ ଥିଲେ । ଏହି କଫ ସିରପକୁ ବେଆଇନ ଭାବେ ବିକ୍ରି କରାଯାଇ ନିଶା କାରବାର ପାଇଁ ବ୍ୟବହାର କରାଯାଉଥିବା ପୋଲିସ ସନ୍ଦେହ କରୁଛି ।
ଏହା ମଧ୍ୟ ପଢନ୍ତୁ...ଯୋଜନାବଦ୍ଧ ଥିଲା ନିଜ ପୁଅକୁ CEOଙ୍କ ହତ୍ୟା ଘଟଣା: ହୋଟେଲ ରୁମରୁ ଖାଲି କଫ ସିରପ୍ ବଟଲ ଜବତ
ତେବେ ବୋତଲ ପିଛା ୧୦ରୁ ୨୦ ଟଙ୍କା ଭିତରେ କିଣୁଥିବା ବେଳେ ୧୦୦ରୁ ୧୫୦ ଯାଏଁ ବିକ୍ରି କରିଛନ୍ତି ଚାଲାଣକାରୀ । ବିନା ପ୍ରେସକ୍ରିପସନରେ ବିକ୍ରି ହେଉଛି କଫ ସିରଫ । କମ ଟଙ୍କାରେ ମଦ ଭଳି ନିଶା ପାଇଁ ଏହାକୁ ବ୍ୟବହାର କରୁଛନ୍ତି ନିଶାଡି । ଏନେଇ ଧିରେ ଧିରେ ଏହାର କାରବାର ବଢିବାରେ ଲାଗିଛି । ଅନ୍ୟପଟେ ମେଡିସିନ ଷ୍ଟୋରରେ ବିକ୍ରି ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ ପ୍ରତିବନ୍ଧକ ସହ ଫାର୍ମା ଡିଷ୍ଟ୍ରିବ୍ୟୁଟରଙ୍କୁ ଏଭଳି ସପ୍ଲାଏ ନ ଦେବାକୁ କଡା ତାଗିଦ କରାଯାଇଛି । ହେଲେ ବଜାରରେ ଡିମାଣ୍ଡ ଦେଖି ଦିନକୁ ୧୦୦ ବୋତଲ ପର୍ଯ୍ୟନ୍ତ ବିକ୍ରି କରୁଥିବା ଦୋକାନୀ ଏହାକୁ ବେଆଇନ ଭାବେ ମଗାଉଛନ୍ତି । ଫଳରେ ଆଇନଗତ ଅନୁମତି ଥିବା ଔଷଧ ବେଆଇନ ଭାବେ ବିକ୍ରି ପାଇଁ ଆସୁଛି ।
ତେବେ ରାଜ୍ୟ ବାହାରର ବିଭିନ୍ନ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଚୋରା ଚାଲାଣ କରୁଛନ୍ତି ନିଶା ବେପାରୀ । ଏହାରି ଭିତରେ କୋଲକାତାରୁ ଏହି କଫ ସିରପ ଚାଲାଣ ସମୟରେ ଆଡିସିନାଲ ଡ୍ରଗ୍ସ କଣ୍ଟ୍ରୋଲର ପରଭେଶ ଲେଙ୍କା ଓ ନୟାପଲ୍ଲୀ ପୋଲିସର ମିଳିତ ଭାବେ ଚଢାଉ କରିଥିଲେ । ତେବେ ଗତ ୨୦୨୩ ମେ' ୧ରେ ଭରତପୁର ଥାନା ଅଞ୍ଚଳରେ ଜବତ ହୋଇଥିଲା ବିପୁଳ ପରିମାଣର ବେଆଇନ କଫ ସିରପ । ମଞ୍ଚେଶ୍ୱରର ଏଅଫାର୍ମା ଷ୍ଟକ ପଏଣ୍ଟ ଏସବୁ କଫ ସିରପ ସପ୍ଲାଏ ବେଳେ ଧରପଗଡ଼ କରି ଜବତ କରିଥିଲା କମିଶନରେଟ ପୋଲିସ ।
ଇଟିଭି ଭାରତ, ଭୁବନେଶ୍ୱର