ଓଟିଡିସି ଶିଖାଇଲା ପଣା ପ୍ରସ୍ତୁତି ଭୁବନେଶ୍ବର:ଆଜି ଓଡିଆ ନବ ବର୍ଷ ବା ପଣା ସଂକ୍ରାନ୍ତି । ବେଲ ପଣାରେ ମହକୁଛି ପ୍ରତେକ ଓଡିଆଙ୍କ ଘର । ଖାଲି ବେଲ ପଣା ନୁହଁ ବିଭିନ୍ନ ପ୍ରକାରର ପଣା ପ୍ରସ୍ତୁତି ଚାଲିଛି । ତେବେ ଟିକିଏ ନୂଆ ଶୈଳୀରେ ପଣା ପ୍ରସ୍ତୁତି ନେଇ ଗତକାଲି (ଗୁରୁବାର) ଓଡିଶା ଟୁରିଜିମ୍ ଆଣ୍ଡ ଓଟିଡିସି ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭୁବନେଶ୍ୱରରେ ନିମନ୍ତ୍ରଣ ରେସ୍ତାରାଁରେ ଆୟୋଜିତ ହୋଇଥିଲା ପଣା ପ୍ରସ୍ତୁତି ପର୍ବ । ଅନେକ ଓଡିଆ ବ୍ଲଗର୍ସ ଏଥିରେ ସାମିଲ ହୋଇ ପଣା ପ୍ରସ୍ତୁତି ଶିଖିଥିଲେ ।
ପଣା ସଂକ୍ରାନ୍ତି ପୂର୍ବରୁ ଭୁବନେଶ୍ୱର ଶହୀଦ ନଗର ସ୍ଥିତ ନିମନ୍ତ୍ରଣରେ ଆୟୋଜିତ ହୋଇଯାଇଥିଲା ବେଲ ପଣା ପ୍ରସ୍ତୁତି ପର୍ବ । ଯେଉଁଠି ବେଲପଣାର ପ୍ରସ୍ତୁତି ଏବଂ ସ୍ୱାଦିଷ୍ଟ ପଣାର ଟିପ୍ସ ଶିଖିଥିଲେ ଅନେକ ଓଡିଆ ବ୍ଲଗର୍ସ । ଡାଳିମ୍ବ, ନଡିଆ,କଦଳୀ ଛେନା ସାଙ୍ଗକୁ କାଜୁ ବାଦାମ୍ ଭଳି ଡ୍ରାଏଫୁଡସ ଓ ପାଚିଲା ବେଲକୁ ମିଶାଇ ପ୍ରସ୍ତୁତ ହୋଇଥିଲା ସ୍ପେଶାଲ ବେଲପଣା । ୩୦ ଜଣ ଓଡିଆ ବ୍ଲଗର ବେଲ ପଣା ପ୍ରସ୍ତୁତି ଶିଖିବା ସହ ଲୋକ ମାନଙ୍କ ପାଖରେ ଏହାକୁ ପହଞ୍ଚାଇବା ପାଇଁ ମତ ରଖିଥିଲେ ।
ଏନେଇ ଜଣେ ବ୍ଲଗର କହିଛନ୍ତି ଯେ, ''ଓଡିଶାର ପାରମ୍ପିକ ପର୍ବ ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବ ବର୍ଷ ବୋଲି କୁହାଯାଏ । ବିଶେଷ ଭାବେ ଏହି ଦିନରେ ପଣା ପ୍ରସ୍ତୁତ ହୋଇଥାଏ । ଏହା ପୂର୍ବରୁ ଏପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଏହା ଆମ ଓଡିଶା ସଂସ୍କୃତି ଓ ପରମ୍ପରାର ଅଧିକ ପ୍ରଚାର ପ୍ରସାର କରିବ । ଭଗବାନ ହନୁମାନଙ୍କ ଜନ୍ମ ଦିବସ ପାଳନ ପୂର୍ବକ ଓଡିଆ ମାନେ ପ୍ରଭୁଙ୍କୁ ପାନୀୟ ସମର୍ପଣ କରନ୍ତି । ଏହାକୁ ପଣା ବୋଲି କୁହାଯାଏ । ଏହା କେବଳ ଏକ ପାନୀୟ ନୁହେଁ ଏଥିରେ ଥିବା ଔଷଧୀୟ ଗୁଣ ମନକୁ ଶାନ୍ତି ଦେବା ସହ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଏଥିରେ ମିଶ୍ରଣ ହେଉଥିବା ସାମଗ୍ରୀ ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ଵରାନିତ୍ଵ କରିଥାଏ । ତେଣୁ ଶରୀର ପାଇଁ ସଞ୍ଜିବନୀ ସାଜିଥିବା ଏହି ପଣା ଆମ ସଂସ୍କୃତି ସହ ଯୋଡ଼ା । ଏହାକୁ ନେଇ ପର୍ବ ପାଳିବା ଆଉ ପଣାର ମହକକୁ ବିଶ୍ୱରେ ପହଁଞ୍ଚାଇବା ପାଇଁ ଏହି ନିଆରା ପ୍ରୟାସ ନିଶ୍ଚୟ ଏକ ସକାରାତ୍ମକ ଦିଗକୁ ନେଇଯିବ ବୋଲି ଆଶା କରାଯାଉଛି । ''
''ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ଓଡିଶା ଟୁରିଜିମ୍ ଆଣ୍ଡ ଓଟିଡିସି ପକ୍ଷରୁ ଆୟୋଜିତ ଏହି ପର୍ବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପଣାର ମହତ୍ତ୍ୱ ଓଡିଆ ମାନଙ୍କ ଗର୍ବ ସହିତ ଜଡିତ ବୋଲି ମତ ରଖିଥିଲେ । ଏଥିସହ ପ୍ରତି ଓଡିଆଙ୍କୁ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ଅନ୍ୟପଟେ ଓଟିଡିସି ଅଧ୍ୟକ୍ଷ ଡ. ଲେଲିନ୍ ମହାନ୍ତି ଯୋଗ ଉପସ୍ଥିତ ରହି ବାର ମାସରେ ତେର ପର୍ବ ଓଡିଆ ମାନଙ୍କ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହି ପର୍ବର ଲକ୍ଷ୍ୟ ବୋଲି କହିଥିଲେ । ଏଥିସହ ଏହି ଅବସରରେ ନୂତନ ପଞ୍ଜିକା ତଥା ଜଗନ୍ନାଥ ପାଞ୍ଜି ମଧ୍ୟ ଉନ୍ମୋଚନ କରାଯାଇଥିଲା । ''
ଇଟିଭି ଭାରତ, ଭୁବନେଶ୍ବର