ଭୁବନେଶ୍ବର:ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୧ ରେଜଲ୍ଟ । OPSC ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଟପ୍ପର ହୋଇଛନ୍ତି ସୁଦେବ କୁମାର ପୃଷ୍ଟି । ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରୀହ ଓ ତୃତୀୟ ଟପ୍ପର ହୋଇଛନ୍ତି ପ୍ରଣବ ରଞ୍ଜନ ସାହୁ । ଟପ୍ ୧୦ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଓ ୫ଜଣ ଝିଅ ରହିଛନ୍ତି । ୧୬୪ ମହିଳାଙ୍କ ସମେତ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ଏପଟେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କୃତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, " ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ସରକାରୀ ସୁବିଧା ସୁଯୋଗକୁ ତୃଣମୂଳସ୍ତରରେ ପହଞ୍ଚାଇ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସମସ୍ତେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।"
ତାଲିକାର ଟପ୍ ୨୦ ମଧ୍ୟରେ ୯ ଜଣ ଝିଅ ରହିଛନ୍ତି । ସୂଚନା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ଲିଖିତ ପରୀକ୍ଷା ୨୦୨୩ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ହୋଇଥିଲା । ସେହିପରି ଜୁଲାଇ ୧୫ ତାରିଖରୁ ୨୫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଇଣ୍ଟରଭ୍ୟୁ । ପ୍ରଥମ ସ୍ଥାନରେ ସୁଦେବ କୁମାର ପୃଷ୍ଟି ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ, ୩ୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ, ୪ର୍ଥ ସ୍ଥାନରେ ବୈଶାଖୀ ଲେଙ୍କା, ପଞ୍ଚମ ସ୍ଥାନରେ ଶ୍ବେତାଲିନା ମହାଣ, ୬ଷ୍ଠ ସ୍ଥାନରେ ଅଗ୍ନିଜା ସିବାଦତ, ୭ମ ସ୍ଥାନରେ ସନ୍ତୋଷ କୁମାର ପାତ୍ର, ଅଷ୍ଟମ ସ୍ଥାନରେ ମୀନାନ୍ସା ସାହୁ, ୯ମରେ ବିନ୍ଦୁ ବଳୟ ରାଉତରାୟ ଓ ୧୦ମ ସ୍ଥାନରେ ରହିଛନ୍ତି ସୌମ୍ୟରଞ୍ଜନ ମହାପାତ୍ର ।