ଭୁବନେଶ୍ବର: ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ପୁରୀ ଗଜପତିଙ୍କୁ ପକ୍ଷଭୁକ୍ତ କରିଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି କରି ଆସନ୍ତା 4 ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରତ୍ନଭଣ୍ଡାର ସୁନା ଅଳଙ୍କାର ଅସୁରକ୍ଷିତ ନେଇ ସାଧାରଣରେ ଦ୍ଵନ୍ଦ୍ବ ଉପୁଜିଥିଲା । ଏହାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏପରିକି ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କୁ ସୁନା ଥାଳିଆ ବଦଳରେ ପିତଳ ଥାଳିଆରେ ଭୋଗ ଲଗାଇବା ପ୍ରସଙ୍ଗରେ ସେବାୟତ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପ୍ରତିକ୍ରିୟା ରଖିଛି ବିଜେପି ଓ କଂଗ୍ରେସ ।
ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଉ ଓ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେହି ଦ୍ଵନ୍ଦ୍ବ ଦୂର କରନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଥିଲେ । ଏହି ପ୍ରସଙ୍ଗରେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏବଂ ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏନେଇ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, " ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉତ୍ତରରେ ସରକାର କେଉଁଭଳି ଚାଲିଛି ସାଧାରଣ ଲୋକ ଜାଣିପାରିବେ । ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦେବେ ଦୁର୍ଭାଗ୍ୟଜନକ, ଆଉ କିଛି ନାହିଁ । ଏହି ଘଟଣା ବିଶ୍ବବ୍ୟାପି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି ।"
ସେ ଆହୁରି କହିଛନ୍ତି, " ସମସ୍ତେ କହିବା ପରେ ବି କାହିଁକି ରତ୍ନ ଭଣ୍ଡାର ଖୋଲା ଯାଉ ନାହିଁ । 1978 ମସିହାରେ ଖୋଲା ଯାଇଥିଲା । ଆମେ ଯେତେବେଳେ ଲକରରେ କିଛି ରଖୁଛେ ତାକୁ କଣ ତଦାରଖ କରୁନେ । କାହିଁକି ଖୋଲିବେନି ରାଜ୍ୟ ସରକାର, ଏହା ମୋର ମୌଳିକ ପ୍ରଶ୍ନ ଏବଂ ଏହାକୁ ନେଇ ହାଇକୋର୍ଟ ଯାଇଛୁ । ସରକାର ଜଗନ୍ନାଥପ୍ରେମୀଙ୍କ ଆଗରେ ନିଜର ସ୍ବଚ୍ଛତା ପ୍ରମାଣିତ କରିପାରିବେ, ଏଠାରେ ସରକାର ଉତ୍ତରଦାୟିତ୍ବ କାହିଁକି ରଖୁନାହାନ୍ତି, ପଛଘୁଞ୍ଚା କାହିଁକି ଦେଉଛନ୍ତି ? କାହିଁକି ଖୋଲୁ ନାହାନ୍ତି ତାର ଉତ୍ତର କଣ ?"