ଭୁବନେଶ୍ବର:ଅଶାନ୍ତ ରାଜଧାନୀ । ରାତିଅଧରେ ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି । ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାକୁ ଗୁଳିମାଡ । ଗତକାଲି(ବୁଧବାର) ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଝାରପଡାରେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ଓରଫ୍ ରିଙ୍କୁଙ୍କୁ ଗୁଳିମାଡ ହୋଇଛି । ଆହତ ଅବସ୍ଥାରେ ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସ୍ତାରେ ସାଇଡମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ଶେଖର ଜେନାଙ୍କ ବାମଗୋଡ ଓ ଆଲୋକ ଜେନାଙ୍କ ଡାହାଣ ଗୋଡରେ ଗୁଳି ବାଜିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନଘନା କରୁଛି । ଗୁଳିମାଡ଼ ପରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଡିସିପି ପ୍ରତୀକ ସିଂ ହସ୍ପିଟାଲରେ ଶିଖର ଜେନାଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ଯାହା ସୂଚନା ମିଳିଛି, ଗତକାଲି ଲକ୍ଷ୍ମୀସାଗର ଥାନା ଝାରପଡ଼ା ପ୍ରଜାପିତା ମଣ୍ଡପ ସାମ୍ନାରେ ଶିଖର ଜେନାଙ୍କ ଗୋଷ୍ଠୀ ଓ ଅପରଗୋଷ୍ଠୀର ଗାଡି ସାମ୍ନାସାମ୍ନି ହୋଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଗାଡି ପଛକୁ ନେବାକୁ କହିବାରୁ ସେଇଠୁ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।
ଏନେଇ ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ । ବିପକ୍ଷ ଗୋଷ୍ଠୀର ଜଣେ ପର୍ସନାଲ ସିକ୍ୟୁରିଟି ଗାର୍ଡ ନିଜ ବନ୍ଧୁକ କାଢି ଗୋଟିଏ ବ୍ଲାଙ୍କ ଫାୟାରିଂ କରିବା ସହ ପରେ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲେ । ଫଳରେ ଗୋଟିଏ ଗୁଳି ଶିଖରଙ୍କ ଗୋଡ଼ରେ ଓ ଅନ୍ୟଟି ତାଙ୍କ ପୁତୁରା ଗୋଡ଼ରେ ବାଜିଥିଲା । ଉଭୟଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।