ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ପରଦାକୁ ଫେରୁଛନ୍ତି ଓଲିଉଡ ଅଭିନେତା ଅରିନ୍ଦମ ରୟ । ନିକଟରେ ଅଭିନେତାଙ୍କ ଫିଲ୍ମର ନାଁ 'ରାମ' ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଅଡ଼ିଓ ରିଲିଜ ହୋଇଛି । ଚଳଚ୍ଚିତ୍ରଟି ଦଶହରାରେ ରିଲିଜ ହୋଇ ଦର୍ଶକଙ୍କ ପୂଜା ସେଲିବ୍ରେସନକୁ ଦ୍ବିଗୁଣିତ କରିବ । ତେବେ ନିଜ ପସନ୍ଦର ଷ୍ଟାରଙ୍କୁ ସ୍କ୍ରିନରେ ଦେଖିବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।
ରତ୍ନା ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟ ପ୍ରଯୋଜିତ ବହୁ ଚର୍ଚ୍ଚିତ ''ରାମ୍''ର ଅଡିଓ ଭୁବନେଶ୍ୱର ସ୍ଥିତ ମହାରାଜା ସିନେମା ହଲ୍ ପରିସରରେ ବହୁ ସିନେପ୍ରେମୀଙ୍କ ଗହଣରେ ରିଲିଜ୍ ହୋଇଛି । ଏହି ସମୟରେ ଫିଲ୍ମର ଗୀତ ପୁଙ୍ଗି ତାଳରେ ଅରନ୍ଦିମଙ୍କ ଗୀତର ହୁକ୍ ଷ୍ଟେପ ଦେଖିବାକୁ ମିଳିଥିବା ବେଳେ ଉପସ୍ଥିତ ଦର୍ଶକ ମଧ୍ୟ ଗୀତରେ ଝୁମିଥିଲେ । ତେବେ ଫିଲ୍ମର ସମସ୍ତ ଗୀତ ପୁଷ୍ପକ ପରିଡାଙ୍କ ଦ୍ବାରା ରଚନା ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ । ରାମ୍ ଚଳଚ୍ଚିତ୍ରର ଗୀତ ଗୁଡିକୁ ଓଲିଉଡ଼ର ନାମୀ କଣ୍ଠଶିଳ୍ପୀ ଯଥା ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ ଏବଂ ସୋହିନୀ ମିଶ୍ର ଗାଇଥିବା ବେଳେ ସମସ୍ତେ ଏହି ଅଡିଓ ରିଲିଜ୍ ଅବସରରେ ଉପସ୍ଥିତ ଥିଲେ ।