ଭୁବନେଶ୍ବର: କ୍ରୀଡାକୁ ପ୍ରୋତ୍ସାହନ କରିବା ଦିଗରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ । ଏହି ପୁରସ୍କାର ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଦିଆଯାଇଛି । ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ବେଷ୍ଟ ଷ୍ଟେଟ ଫର ପ୍ରମୋସନ ସ୍ପୋଟର୍ସ' ପୁରସ୍କାର ଗ୍ରହଣ କରିଛନ୍ତି । ଚତୁର୍ଥ ଥର ପାଇଁ ଓଡ଼ିଶା ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛି । କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଆୱାର୍ଡକୁ ଗ୍ରହଣ କରିଛନ୍ତି ।
କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ମିଳିଛି । କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗିତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତ୍ଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡ଼ିଶାର ‘ସ୍ପୋର୍ଟସ ମଡେଲ’ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇରେ ହିନ୍ଦୁ ଗ୍ରୁପ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦ ହିନ୍ଦୁର ସମ୍ପାଦକ ସୁରେଶ ନମ୍ବଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନିଲ ଗାଭାସ୍କରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ବିଶିଷ୍ଟ କ୍ରୀଡାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳୀ ଭଗବତ, ବାଇଚୁଙ୍ଗ ଭୂତିଆ, ଏମ.ଏମ ସୌମ୍ୟା ଓ ବିଶ୍ବନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ ।
ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପୁରସ୍କାରକୁ ସେ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି । କ୍ରୀଡାବିତମାନଙ୍କୁ ସମ୍ମାନିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ପୋର୍ଟସ ଷ୍ଟାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ବିଶ୍ବ କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ମାନଙ୍କ ଅବଦାନକୁ ମର୍ଯ୍ୟାଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ । ଏହା ଆମର ଆଗାମୀ ଦିନର ପ୍ରତିଭାବାନ କ୍ରୀଡାବିତମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ । କ୍ରୀଡାବିତମାନେ ହେଉଛନ୍ତି ଆମର ପ୍ରକୃତ ରାଷ୍ଟ୍ରଦୂତ । ସେମାନଙ୍କୁ ସହଯୋଗ ଯୋଗାଇଦେବା ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ବ ।"