ଭୁବନେଶ୍ବର: ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଳିତ ବର୍ଷ ୧୯ଟି ଜିଲ୍ଲା ପରିଦର୍ଶନ କରାଯାଇଛି । ସେହିସବୁ ଜିଲ୍ଲାଗୁଡିକରେ ଥିବା ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ପିଡିଏସ ସେଣ୍ଟର ଆଦି ପରିଦର୍ଶନ କରି ଖାଦ୍ୟ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ଏଥିସହ କର୍ମଜୀବୀ ବାପାମାଆଙ୍କ ସୁବିଧା ପାଇଁ ବିଭିନ୍ନ ଜିଲ୍ଲାରେ କ୍ରେଚ ନିର୍ମାଣ ହେଉଛି । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୭୦୦ କ୍ରେଚ ନିର୍ମାଣ ହୋଇଛି । ଏଥିରେ ଆୟାମାନଙ୍କୁ ନିଯୁକ୍ତ କରାଯାଇଛି । ଏହି କ୍ରେଚରେ ୬ରୁ ୩୬ ମାସ ପର୍ଯ୍ୟନ୍ତ ପିଲାମାନେ ସୁରକ୍ଷିତ ଭାବେ ରହିପାରିବେ l କ୍ରେଚ ଗୁଡ଼ିକ ଦ୍ଵାରା ପିଲାମାନଙ୍କ ସହ ମାଆମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି । ଏହାପରେ ପିଲାମାନେ ଅଙ୍ଗନୱାଡ଼ି ଯିବେ । ସେଠାରେ ରାଜ୍ୟ ସରକାର ସେମାନଙ୍କ ପୋଷଣର ଯତ୍ନ ନେବେ । ଏନେଇ ଭୁବନେଶ୍ୱରରେ ରାଜ୍ୟ ଖାଦ୍ୟ ଆୟୋଗ ପକ୍ଷରୁ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଖାଦ୍ୟ ଆୟୋଗ ଅଧ୍ୟକ୍ଷ କହିଛନ୍ତି ଯେ, ଅଙ୍ଗନୱାଡ଼ି ପରେ ପିଲା ସ୍କୁଲ ଯାଇଥାଏ, ସେଠାରେ ମଧ୍ୟ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ଏହାଦ୍ଵାରା କେହି ଶିଶୁ ଯେପରି ଭୋକରେ ନରହିବେ, ସେନେଇ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ପ୍ରୟାସ ଥିଲା ତାହା ସଫଳ ହୋଇପାରିଛି । କେନ୍ଦୁଝର ସହ ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କ୍ରେଚ୍ ନିର୍ମାଣ କରାଯାଇଛି । ଅଷ୍ଟମ ଶ୍ରେଣୀ ପରେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ଆମେ ଚିଠି ଲେଖିଛୁ । ଏଥିସହ ସାରା ରାଜ୍ୟରେ କିପରି ସବୁ ଜିଲ୍ଲାରେ କ୍ରେଚ୍ ନିର୍ମାଣ ହୋଇପାରିବ ସେନେଇ ଚିଠି ଲେଖିବା ସହ ଏହାର ସୁଫଳ ଗୁଡ଼ିକ ସମ୍ବନ୍ଧରେ ଜିଲ୍ଲାପାଳମାନଙ୍କୁ ଜଣାଉଛୁ ।