ଭୁବନେଶ୍ବର: ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ଆବଶ୍ୟକ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ନେଇ କୌଣସି ଆନ୍ତରିକତା ଦେଖାଉ ନାହାନ୍ତି । ତେବେ ନିର୍ଦ୍ଦେଶକୁ ଦୀର୍ଘ ୨୦ ମାସ ବିତିଯାଇଥିଲେ ମଧ୍ୟ ନିଯୁକ୍ତି ପାଇଁ ପ୍ରକାଶ ପାଇନାହିଁ ବିଜ୍ଞପ୍ତି । ଏନେଇ ମହାମହିମ ରାଷ୍ଟ୍ରପତିଙ୍କୁ OSEFD ସଂଘ ଭେଟି ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି ।
ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ସମସ୍ୟା ସମାଧାନ ଲାଗି ବେଶ ଆଶାବାଦୀ ଅଛି ସଂଘ । ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ ଯେ, ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଲେଖାଏଁ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବା ଆବଶ୍ୟକ ।
ଏହା ବି ପଢନ୍ତୁ- ନିଯୁକ୍ତି ପାଇଁ ଅଭିନବ ପ୍ରତିବାଦ, ରାଜଧାନୀରେ ବସିଲା ବେକାରୀ ହାଟ
ଯଦି ଗୋଟେ ବିଦ୍ୟାଳୟରେ ଗୋଟିଏ ବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ବତନ୍ତ୍ର ଶିକ୍ଷକ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ନିର୍ଦ୍ଦେଶକୁ ଦୀର୍ଘ ୨୦ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାରି ନାହିଁ। ଅନ୍ୟପଟେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା କେସ ହୋଇଥିବା ସତ୍ତ୍ବେ ମଧ୍ୟ ତାହାକୁ ରାଜ୍ୟ ସରକାର କାର୍ଯକାରୀ କରିନାହାନ୍ତି । ତେବେ ଗତ ଜୁଲାଇ ୨୫ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଥିଲେ । ଏହି ସମୟରେ ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ ତାଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ।