ଭୁବନେଶ୍ବର:ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ପ୍ରଗତିରେ ସେମାନଙ୍କ କ୍ରିୟାଶୀଳ ଭୂମିକାକୁ ଉନ୍ନତ କରିବା(Active role in sustainable development) କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର(Odisha Chief Secretary Suresh Chandra Mohapatra) । ଓଡିଶା ସରକାରଙ୍କ ଦକ୍ଷତା ବିକାଶ (Skill devlopment)ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗଦେଇ ସେ ଉପରୋକ୍ତ ମର୍ମରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶାର ପଦକ୍ଷେପ ଗୁଡ଼ିକ ନେଇ ଆଲୋକପାତ କରିଛନ୍ତି ।
ତେବେ ‘ବିକଶିତ ଭାରତ, ଦିଗନ୍ତ ପହୁଞ୍ଚ’ ଶୀର୍ଷକ ଏହି କର୍ମଶାଳାରେ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଆଲୋଚନା । ବିକଶିତ ଭାରତ ଓ ମାନବସମ୍ବଳ(Human resource) ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ନେଇ ମୁଖ୍ୟ ଶାସନ ସଚିବ ବକ୍ତବ୍ୟ ରଖିଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ବକ୍ତବ୍ୟ ରଖିଛନ୍ତି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇ ରାଜ୍ୟରେ ଦକ୍ଷତା ବିକାଶ ପରିମଣ୍ଡଳର ସ୍ଥିତି ଉପରେ ସେ ଆଲୋକପାତ କରିଛନ୍ତି ।
କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ଶାସନ ସଚିବ ଅତୁଲ ତିୱାରୀ ମଧ୍ୟ ରଖିଥିଲେ ବକ୍ତବ୍ୟ । କର୍ମଶାଳା ଆରମ୍ଭରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିବାବେଳେ, ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହୋଇଥିବା ସେ ଦର୍ଶାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ ଜିଙ୍କ ସମେତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଅନ୍ୟପଟେ କର୍ମଶାଳାରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ହିମାଚଳ ପ୍ରଦେଶ, ଗୋଆ, ଜାମ୍ମୁ ଓ କାଶ୍ମୀର, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ, ମଣିପୁର ତଥା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଡାମନ-ଡିଉ-ଦାଦ୍ରା-ନଗର ହାବେଳୀ, ଲାକ୍ଷାଦ୍ବୀପ, ଲାଦାକର ପ୍ରତିନିଧିମାନେ ଯୋଗଦେଇ ଦକ୍ଷତା ବିକାଶ ସ୍ଥିତି ନେଇ ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଛନ୍ତି । ଉଦ୍ଯାପନ ଅଧିବେଶନ ପରେ ପ୍ରତିନିଧି ଦଳ ଜଟଣୀ ସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନ ଓ ମଞ୍ଚେଶ୍ବରସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂପର୍କରେ ଅବଗତ ହୋଇଥିବା ବେଳେ ଉଭୟ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର