ଭୁବନେଶ୍ବର:ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ସ୍ଥିତିରେ ରହିଥିବାବେଳେ ବଢୁଛି ତାତି ଓ ଗୁଳଗୁଳିର ପ୍ରଭାବ । ଆହୁରି ୪୮ଘଣ୍ଟା ରାଜ୍ୟରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାରଣ ୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି। ମୁଖ୍ୟତଃ ଦିନ ତମାମର ଆର୍ଦ୍ରତା ୬୦% କିମ୍ବା ଅଧିକ ରହୁଥିବାରୁ ଗୁଳଗୁଳି ଲାଗି ରହୁଥିବା ଜଣାପଡିଛି।
ଗୁରୁବାର ଚାନ୍ଦବାଲି ଓ ଝାରସୁଗୁଡ଼ାରେ ଅଗଷ୍ଟ ମାସର ସର୍ବୋଚ୍ଚ ୩୭.୬ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିଲା । ମୌସୁମୀ ନିମ୍ନ ଚାପରେଖା ତା'ର ସାଧାରଣ ଅବସ୍ଥାନଠାରୁ ଯଥେଷ୍ଟ ଉତ୍ତରରେ ରହୁଥିବାରୁ କେବଳ ଓଡିଶା ନୁହେଁ, ସମଗ୍ର ଦେଶରେ ବର୍ଷାର ପରିମାଣ କମ ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୬ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସ୍ୱାଭାବିକଠାରୁ ୮୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। କୋରାପୁଟ ଲମତାପୁଟରେ ସର୍ବାଧିକ ୪୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଗୋଟିଏ କିମ୍ବା 2ଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୫ ଦିନ ପାଇଁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ତେଣୁ ମୌସୁମୀ ପୁଣି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ବିଭାଗ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୩ ଓ ୪ ତାରିଖରୁ ବିସ୍ତୃତି ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।