ଭୁବନେଶ୍ବର: ପୁଣି ବୁଲିଛି 5T ଖଣ୍ଡା । 14 ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । 4 ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିବା ସହ 4 ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ 6 ଜଣଙ୍କ ପେନସନ ସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି । ସୁପରିନଟେଣ୍ଡିଂ ଇଞ୍ଜିନିୟର, 2 ଆସିଷ୍ଟାଣ୍ଟ ଇଞ୍ଜିନିୟର, ଡିଏସପି., ସିଡିପିଓ, ଫରେଷ୍ଟ ରେଞ୍ଜ ଅଫିସର, ତହସିଲଦାର, ବିଡିଓ, ସିନିଅର ମ୍ୟାନେଜର, ଟ୍ୟାକ୍ସ କଲେକ୍ଟର, ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିୟର ଇଞ୍ଜିନିୟର ଅନ୍ତର୍ଭୁକ୍ତ । 5T ଓ ମୋ ସରକାର ବ୍ୟବସ୍ଥାରୁ ମିଳିଥିବା feedback ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏପର୍ଯ୍ୟନ୍ତ ୧୮୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଆଉ 14 ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏଥିରେ ୪ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓ ଅନ୍ୟ ୬ ଜଣଙ୍କ ପେନସନ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ହୋଇଥିବା ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ ସାମିଲ ଅଛନ୍ତି । ଜଣେ ସୁପରିନଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡିଏସପି, ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବିଡିଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅନ୍ତର୍ଭୁକ୍ତ ।
ଏହାବି ପଢନ୍ତୁ- Morbi bridge Collapsed: ମୋର୍ବି ଗସ୍ତ କରି ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ପୂର୍ବରୁ ୧୭୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 5T ଓ ମୋ ସରକାର ଉପକ୍ରମ ଜରିଆରେ ମିଳିଥିବା feedback ଭିତ୍ତିରେ ଏହି କଠୋର ପଦକ୍ଷେପ ନିଆଯାଇଛି । କଟକ ପିଏଚ ଡିଭିଜନର ସୁପରିନଟେଣ୍ଡିଂ ଇଞ୍ଜିନିୟର ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଆଦି ଗମ୍ଭୀର ଅଭିଯୋଗ ଥିଲା । ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । କୋରାପୁଟ ଲମତାପୁଟ ବ୍ଲକ୍ର ପୂର୍ବତନ ସିଡିପିଓ ସ୍ବର୍ଣ୍ଣଭା ଦାସଙ୍କ ନାମରେ ଲାଞ୍ଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା, ଆଶା ଆଶଙ୍କାରେ ଭକ୍ତ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପୂର୍ବତନ ବିଡିଓ ଦାମୋଦର ମହାଲିକ ଏକ ଲାଞ୍ଚ ଗ୍ରହଣ ତଥା ନିଜ ପଦବୀର ଅପବ୍ୟବହାର ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ସେହିପରି ନୟାଗଡ ଖଣ୍ଡପଡା ତହସିଲର ପୂର୍ବତନ ତହସିଲଦାର ପଞ୍ଚାନନ ବାରିକ ଗୋଟିଏ ଲାଞ୍ଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଢେଙ୍କାନାଳ IUCAWର (ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ) ପୂର୍ବତନ ଡିଏସ୍ପି ମଳୟ କିଶୋର ନାୟକଙ୍କ ନାମରେ ଲାଞ୍ଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।