ଭୁବନେଶ୍ବର:ରାଜ୍ୟ ସରକାର ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ଲାଗି ଅନେକ ପଦକ୍ଷେପ ହାତକୁ ନେଉଛନ୍ତି । ନୂଆପଡ଼ାରେ ଟ୍ରମା କେୟାର ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର ହୋଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କେନ୍ଦ୍ରକୁ ଏକ ଲେଭେଲ ୩ ଟ୍ରମା କେୟାର ସେଣ୍ଟର ଭାବେ ବିକଶିତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କେନ୍ଦ୍ରକୁ ଏକ ଲେଭେଲ ୩ ଟ୍ରମା କେୟାର ସେଣ୍ଟର ଭାବେ ବିକଶିତ କରାଯିବ । କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିୟମାବଳୀ ଅନୁଯାୟୀ ଏଥିରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ, ଆଇସିୟୁ ପର୍ଯ୍ୟବେକ୍ଷଣ କକ୍ଷ, ଲ୍ୟାବ୍ ଓ ଇମେଜିଂ ଆଦିର ବ୍ୟବସ୍ଥା ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲଗୁଡ଼ିକରେ ୧୦୬ଟି ଟ୍ରମା କେୟାର ସେଣ୍ଟର ବ୍ୟବସ୍ଥା କରାଯାଇଛି । ଏସବୁରେ ୧୫୬୦ଟି ବେଡ ରହିଛି ।
ଏହା ବି ପଢନ୍ତୁ- ରାଜ୍ୟରେ ଅସହ୍ୟ ତାତି, ସ୍କୁଲ ସମୟ ସକାଳୁଆ କରାଯାଉ: ଓଷ୍ଟା
ଏହା ସହ ରାଜ୍ୟରେ ୧୮ଟି ଘରୋଇ ସ୍ପେସାଲିଷ୍ଟ ହସ୍ପିଟାଲର ଟ୍ରମା କେନ୍ଦ୍ରଗୁଡିକକୁ ମଧ୍ୟ ଟ୍ରମା କେୟାର ଚିକିତ୍ସା ଲାଗି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ସୂଚନା ଥାଉ କି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଘରୋଇ ହସ୍ପିଟାଲ ଟ୍ରମା ସେଣ୍ଟରଗୁଡିକରେ ଦେୟମୁକ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରମା କେୟାର ଦେୟମୁକ୍ତ ଚିକିତ୍ସା ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସହ ରାଜ୍ୟରେ ପ୍ରତିଷ୍ଠା ହେବ ୫୫ଟି ଲେବୁଲ୍-3 ଟ୍ରମା କେୟାର ସେଣ୍ଟର । ଜାତୀୟ ରାଜପଥ ପାଶ୍ବର୍ରେ ପ୍ରତିଷ୍ଠା କରାଯିବ। ସଡକ ଟ୍ରାଫିକ ଦୁର୍ଘଟଣାରେ ମୃତ୍ୟୁ ହାରରେ ଜରୁରୀକାଳୀନ ମେଡିକାଲ କେୟାର (ଟ୍ରମା କେୟାର)କୁ ମଜଭୁତ କରିବାରେ ଓଡ଼ିଶା ଆଗକୁ ଆସିଛି ।