ଭୁବନେଶ୍ବର: ରାଜ୍ୟରେ ବୈଷୟିକ ଶିକ୍ଷାକୁ ଘରୋଇକରଣ ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର । ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଦକ୍ଷିଣ ଭାରତର ଠିକାଦାରଙ୍କୁ ପଶିବାକୁ ହେଉଛି ଷଡ଼ଯନ୍ତ୍ର । ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛି ବିଜେପି । ଆଗାମୀ ଦିନରେ ଯଦି ସରକାର ଘରୋଇକରଣରୁ ନିଷ୍ପତ୍ତିରୁ ନ ଓହରିବେ ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,"କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ବରର ସିଆଇସି, ଆଇଜିଆଇଟି ସାରଙ୍ଗର ପଲିଟେକନିକ ବିଭାଗକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରିଛନ୍ତି ସରକାର । ଏଥିପାଇଁ ଟେଣ୍ଡର ଆହ୍ବାନ ହୋଇଛି । ଏବେ ବି କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପାଇଁ ୨୦୦ କୋଟି ଅନୁଦାନ ଖର୍ଚ୍ଚ ହେବାକୁ ଯାଉଛି । ରାଜ୍ୟ ସରକାର ୧୪୦ କୋଟି ଏବଂ ରାଜ୍ୟ ସରକାର ୬୫ ଡିଏମଫ କୋଟି ଦିଆ ହୋଇଛି । ଏବେ ସେହି ଟଙ୍କାକୁ ଲୁଟ ପାଇଁ କାହା ଚକ୍ରାନ୍ତରେ ରାଜ୍ୟ ସରକାର ଘରୋଇକରଣ ନିଷ୍ପତ୍ତି ନେଲେ ? ସାରଙ୍ଗ ଆଇଜିଆଇଟିରେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଛି । ହେଲେ ସେଥିରେ କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି । ଗୋଟେ ପଟେ ଘରୋଇ କରଣ କରୁଛନ୍ତି ଅନ୍ୟପଟେ କହୁଛନ୍ତି 5Tରେ ଶିକ୍ଷାକୁ ବିଶ୍ବସ୍ତରୀୟ କରୁଛନ୍ତି । ଘରୋଇ କରଣରୁ ନିଷ୍ପତ୍ତିରୁ ନ ଓହରିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ।"
ଏହା ବି ପଢନ୍ତୁ- ନାଲକୋକୁ ଘରୋଇକରଣ କରାଯିବ ନାହିଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ