ଭୁବନେଶ୍ବର:ପ୍ରକାଶ ପାଇଲା 2023/24 ଆର୍ଥିକ ବର୍ଷ ପାଇଁ ଓଡିଶା ଅବକାରୀ ନୀତି । ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିୟମ । ନିୟମ ଅନୁଯାୟୀ ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ ଦର ବୃଦ୍ଧି ପାଇବ । ଏହା ସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ ସପ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଘୋଷଣା ହୋଇଛି । ଏହି ଅବକାରୀ ନୀତି ଆସନ୍ତା ଏପ୍ରିଲ 1ରୁ 2024 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ରାଜ୍ୟ ସରକାର ଆଇଏମଏଫଏଲ ଉପରେ ଏକ୍ସାଇଜ ଡ୍ୟୁଟିରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଫଳରେ ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ ଦର ବୃଦ୍ଧି ପାଇବ । ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି, ଏମଜିକ୍ୟୁ, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି, ଯୋଗାଣକାରୀ ଓ ରିଟେଲର ଫିରେ ମଧ୍ୟ ସାମାନ୍ୟ ବୃଦ୍ଧି କରିଛନ୍ତି । ଅନ ସପ ମଦ ଦୋକାନକୁ ଅଫ ସପ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି କରାଯାଇଛି । ସମସ୍ତ ଅଫ ସପ, ଅନ ସପ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ । କେବଳ ଏଫଏଲ ଅନ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ ବିୟର ଉଠାଇବାକୁ ଅନୁମତି ଦିଆଯାଇଛି ।