ଭୁବନେଶ୍ବର: ରାଜ୍ୟପାଳଙ୍କ ଦ୍ୱାରା କିଟ କ୍ୟାମ୍ପସରେ କାର୍ଡିଓପଲ୍ମୋନାରୀ ରେସସାଇଟେସନ୍ (CPR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି । କିଟ୍ ସହଯୋଗରେ ଶ୍ରୀ ଜଗନ୍ନାଥ ସର୍ଭିସ୍ ଫାଉଣ୍ଡେସନ୍ ଓ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆୟକର ବିଭାଗ ମୁଖ୍ୟ କମିଶନର କ୍ରୀଷ୍ଣ କିଶୋର ଜଷ୍ଠି, ସତ୍ୟ ସାଇ ଟ୍ରଷ୍ଟର ଆବାହକ ଅକ୍ଷୟ ପାଣି, ବିଶିଷ୍ଟ ରେସସାଇଟେସନ୍ ବିଶେଷଜ୍ଞ ତଥା ଓଡ଼ିଶା ସରକାରଙ୍କ ସିପିଆର ପରାମର୍ଶଦାତା ଡା. ଭେମୁରି ଏସ୍ ମୂର୍ତ୍ତି, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସାମ୍ପ୍ରତିକ ସମୟରେ ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ନାଗରିକ ସେମାନଙ୍କୁ ତତ୍କ୍ଷଣାତ୍ କିଭଳି ସାହାଯ୍ୟ କରିପାରିବେ ସେ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଆଜି ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୫ଶହ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ୧୮ ମାସ ମଧ୍ୟରେ କିଟ୍ ଓ କିସ୍ର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ । କିସରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ବିଶେଷ ସହାୟକ ହେବା ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହୁଥିବା ଜନଜାତି ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେବ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି, ‘‘ପ୍ରକୃତିରେ ସବୁ ପ୍ରକାର ରୋଗର ନିରାକରଣ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଆମେ ପ୍ରକୃତିର ସୁରକ୍ଷା ପରିବର୍ତ୍ତେ ପ୍ରକୃତିର କ୍ଷତି କରିଚାଲିଛେ । ସେଥିପ୍ରତି ସଜାଗ ରହିବା ଉଚିତ ।’’
ଅନ୍ୟତମ ଅତିଥି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ‘‘ବର୍ତ୍ତମାନ ସମୟରେ ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ଆମେ ହାର୍ଟ ଆଟାକ୍ ଭଳି ରୋଗର ଶିକାର ହେଉଛେ । ଏଥିରୁ ବର୍ତ୍ତିବାକୁ ହେଲେ ଆମକୁ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ। ସିପିଆର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସତ୍ୟସାଇ ସେବା ସଂଗଠନର ଏକ ଭଲ ପ୍ରୟାସ । ଏହି ପ୍ରଶିକ୍ଷଣ ନେଇଥିଲେ ଅନେକ ଲୋକଙ୍କୁ ହାର୍ଟ ଆଟାକ୍ ସମୟରେ ମୃତ୍ୟୁମୁଖରୁ ବଞ୍ଚାଇବାରେ ସହାୟକ ହୋଇପାରିବ। କିଟ୍ ଓ କିସ୍ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସିପିଆର ତାଲିମ ପ୍ରଦାନ କରାଯିବ । କିସ୍ର ଛାତ୍ରଛାତ୍ରୀମାନେ ଏହି ତାଲିମ ପାଇବା ପରେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ସିପିଆର ତାଲିମ ପ୍ରଦାନ କରିପାରିବେ । ଏହାଦ୍ୱାରା ଜନଜାତି ସମ୍ପ୍ରଦାୟ ଉପକୃତ ହୋଇପାରିବେ ।’’