ଭୁବନେଶ୍ବର:ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟି ଓ ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ । ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଆରମ୍ଭ ଅନୁଷ୍ଠିତ ହୋଇଛି ବୈଠକ । ରାଜ୍ୟ ସରକାର ଜୈବବିବିଧତା, ବନ୍ୟଜନ୍ତୁ ଓ ଜଳସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଉଥିବା କହିଛନ୍ତି ମନ୍ତ୍ରୀ ।
ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ,''ରାଜ୍ୟର ବନ୍ୟଜନ୍ତୁ ଓ ସେମାନଙ୍କ ବାସସ୍ଥାନର ଉପଯୁକ୍ତ ସୁରକ୍ଷା ପାଇଁ ଓଡ଼ିଶାରେ ୧୯ଟି ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଜିଆଇଜେଡ୍ ଭିତରକନିକାକୁ ପ୍ରମୁଖ ରାମସାର୍ ସାଇଟ୍ ଭାବରେ ଚୟନ କରାଯାଇଛି । ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଭିତରକନିକା ରାମସାର୍ ସାଇଟ୍ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ବାୟୋଲୋଜିକାଲ ଆକଳନ ଉପରେ ଏକ ଅଧ୍ୟୟନ କରିଛି । ଦୀର୍ଘକାଳୀନ ତଥ୍ୟରୁ ସର୍ବେକ୍ଷଣ ଓ ବିଶ୍ଳେଷଣ କରି ଜଳର ଗୁଣାତ୍ମକ ମୂଲ୍ୟାଙ୍କନ ଓ ସ୍ୱାସ୍ଥ୍ୟ ରିପୋର୍ଟ କାର୍ଡ ପ୍ରସ୍ତୁତି ପାଇଁ ହାଇଡ୍ରୋଲୋଜିକାଲ୍ ବ୍ୟବସ୍ଥା ଏବଂ ମନିଟରିଂ ପାରାମିଟର ଗୁଡ଼ିକୁ ନିଶ୍ଚିତ କରିବା ପାଇଁ ସିଡିଏ ସୁପାରିଶ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି'' ।
''ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଏ ବିଷୟରେ ଅତିଥିମାନଙ୍କୁ ବିଶେଷ ଅବଧାରଣା ଦେଇଛନ୍ତି । ରାଜ୍ୟର ଜୈବ ସମ୍ବଳର ସଂରକ୍ଷଣ ପାଇଁ ସରକାର ୭୨୫୬ଟି ଜୈବବିବିଧତା ପରିଚାଳନା କମିଟି ଗଠନ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୧-୨୦୩୦ ବର୍ଷ ପାଇଁ ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ବିସ୍ତୃତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ଓ ବନ୍ୟଜନ୍ତୁ ସଂରକ୍ଷଣ, ଜଳ ଓ ଏହାର ମାନର ସଂରକ୍ଷଣ ଆଦି ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି । ଏଗୁଡ଼ିକୁ ସଂରକ୍ଷିତ କରିବାକୁ ହେଲେ ପୃଥିବୀର ପ୍ରତ୍ୟେକଟି ଦେଶ ମଧ୍ୟରେ ସମନ୍ୱୟ ଦରକାର ବୋଲି ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟିର ପ୍ରତିନିଧିମାନେ କହିଛନ୍ତି'' ।