ଭୁବନେଶ୍ବର: ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ୮ ଦିନିଆ ବେଲଜିୟମ ଗସ୍ତ ଅବସରରେ ଲିୟୁଭେନରେ ଅନୁଷ୍ଠିତ ଆଇସିଏ ସିସିଆର ଗ୍ଲୋବାଲ ୟୁରୋପିଆନ କୋଅପରେଟିଭ କନଫରେନ୍ସରେ ଯୋଗ ଦେଇଛନ୍ତି । ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ସମବାୟ ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି । ଓଡ଼ିଶାରେ ସମବାୟ ବ୍ୟବସ୍ଥା ଖାଦ୍ୟ ସୁରକ୍ଷା ଯୋଜନାକୁ ସୁଦୃଢ଼ କରିପାରିଛି । ଏଠାରେ ଗ୍ରହଣ କରାଯାଇଥିବା ସଫଳ ସମବାୟ ବ୍ୟବସ୍ଥାକୁ ଅନ୍ୟ ଦେଶମାନେ ଅନ୍ତର୍ଜାତୀୟ ଫୋରମରେ ପ୍ରଶଂସା କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସମବାୟ ସମିତି କ୍ଷେତ୍ରରେ ନୂତନତ୍ବ ଗ୍ରହଣ କରିବାରେ ଓଡିଶା ଅନ୍ୟତମ ପ୍ରଗତିଶୀଳ ରାଜ୍ୟ । ରାଜ୍ୟର PACS/LAMPCS ଚାଷୀଙ୍କ କୃଷିଜାତ ଦ୍ରବ୍ୟକୁ ମାର୍କେଟିଂ ସୁବିଧା ଯୋଗାଇ ଦେବା ବାଧ୍ୟତାମୂଳକ କରାଯାଇଛି । ସେମାନେ ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ ସର୍ବନିମ୍ନ ସହାୟତା ମୂଲ୍ୟରେ (MSP) କୃଷକଙ୍କଠାରୁ ଧାନ କ୍ରୟ କରନ୍ତି । ପୁନଶ୍ଚ ସରକାରଙ୍କ ମୂଲ୍ୟ ସହାୟତା ଯୋଜନା ମାଧ୍ୟମରେ, ସେମାନେ ବଜାରରେ ହସ୍ତକ୍ଷେପ କରନ୍ତି ଏବଂ ଡାଲି ଓ ତୈଳବୀଜ ପରି ଏଗ୍ରି-ଉତ୍ପାଦଗୁଡ଼ିକ MSPଠାରୁ ଅଧିକ ମୂଲ୍ୟରେ ବିକ୍ରି ନିଶ୍ଚିତ କରନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତିଶୀଳ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ ରାଜ୍ୟ କୃଷି ତଥା ଅନ୍ୟାନ୍ୟ ପ୍ରକାରର ଅଭିବୃଦ୍ଧିରେ ସମବାୟ ସମିତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟର ସମସ୍ତ ହିତାଧିକାରୀଙ୍କ ପାଇଁ ପ୍ରଭାବଶାଳୀ ତଥା ସକ୍ରିୟ ଶାସନ ଯୋଗାଇବା ପାଇଁ ଓଡ଼ିଶା ସରକାର ଅନେକ ଅଭିନବ ପଦକ୍ଷେପ ଆରମ୍ଭ କରିଛନ୍ତି । ସମବାୟ ସମିତି ମାଧ୍ୟମରେ ଉତ୍ତମ ଶାସନ ଏବଂ ସମୃଦ୍ଧତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପକୁ ସମ୍ମିଳନୀରେ ସଂକ୍ଷେପରେ ଆଲୋକିତ କରିଛନ୍ତି ।