ଭୁବନେଶ୍ବର:ଦିଲ୍ଲୀରୁ ଆସିଲା ଡାକରା । ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ । ଗୁରୁମନ୍ତ୍ର ଦେବେ କଂଗ୍ରେସ ସୁପ୍ରିମୋ । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଷ୍ଟ୍ରାଟେଜି । ନିର୍ବାଚନ ପୂର୍ବରୁ ରଣନୀତି ନେଇ ହେବ ଆଲୋଚନା । ଏନେଇ ଆସନ୍ତା ଡିସେମ୍ବର ୨୦ ତାରିଖରେ ରାଜ୍ୟ କଂଗ୍ରେସ ବରିଷ୍ଠ ନେତା ଦିଲ୍ଲୀ ଯିବେ । ଦିଲ୍ଲୀରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "୨୦୨୪ ନିର୍ବାଚନର ରଣକୌଶଳ ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା ହେବ । ସମସ୍ତ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀଙ୍କ ଲିଷ୍ଟ ଆମ ପାଖକୁ ଆସି ସାରିଛି । ଲୋକସଭା ପାଇଁ ମଧ୍ୟ ଏକରୁ ଅଧିକ ଲିଷ୍ଟ ଆସିଛି । ଲିଷ୍ଟ ଦିଲ୍ଲୀ ଯିବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ । ତାରିଖ ଠିକ ହୋଇନାହିଁ, କିନ୍ତୁ ଜାନୁଆରୀ ଦ୍ବିତୀୟ ସପ୍ତାହରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ମୁଁ ଏବଂ ପ୍ରଭାରୀ ଚେଲ୍ଲା କୁମାର ଯାଇ ତାଙ୍କୁ ନିମନ୍ତ୍ରଣ କରିଛୁ । ଆଗକୁ ବିଜେଡିର ଭବିଷ୍ୟତ କଣ ହେବ ସମସ୍ତେ ଦେଖିବେ । ଓଡ଼ିଶାରେ କଂଗ୍ରେସ ସରକାର କରିବ ଏବଂ ୯ ରୁ ୯୦ ମିଶନ ସଫଳ ହେବ ।"
ଏହା ବି ପଢନ୍ତୁ- ଅର୍ଥ ସଂଗ୍ରହ କରିବ କଂଗ୍ରେସ, ଆଜିଠୁ ୧୦ ଦିନିଆ ଅଭିଯାନ